ଅପମାନିତ ମହିଳାଙ୍କ ହାତରୁ ରାକ୍ଷୀ ବାନ୍ଧ, ଏହା ହିଁ ପ୍ରାୟଶ୍ଚିତ, ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ କାହାକୁ ଓ କ'ଣ ପାଇଁ…

Published By : Prameya-News7 Bureau | August 04, 2020 IST

ଭୋପାଳ, ୦୪|୦୮:  ପ୍ରଥମେ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଆଉ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୀଡିତା ସଂପୃକ୍ତ ଯୁବକଙ୍କ ହାତରେ ରାକ୍ଷୀ ବାନ୍ଧିବେ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରେ ।

ସୂଚନାନୁସାରେ, ଜଣେ ୨୬ ବର୍ଷର ଯୁବକ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ  । ସେ ୩୦ ବର୍ଷୀୟା ପୀଡିତାଙ୍କ ଘରେ ଜୋର୍ ଜବରଦସ୍ତି ପସିଥିଲେ । ମାମଲା କୋର୍ଟକୁ ଯାଇଥିଲା । ଏହାର ଶୁଣାଣି କରି କୋର୍ଟ କହିଥିଲେ ଯେ, ଅଭିଯୁକ୍ତ ଯୁବକ ୧୧ ହଜାର ଟଙ୍କା ପୀଡିତାଙ୍କୁ ପ୍ରଦାନ କରିବେ । ଏହାସହ ଉଭୟ ଭାଇ-ଭଉଣୀ ସମ୍ପର୍କରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପୂର୍ବରୁ ହାଇକୋର୍ଟରେ ଜଷ୍ଟିସ ରୋହିତ ଆର୍ଯ୍ୟଙ୍କ ବେଞ୍ଚ୍ ଅଭିଯୁକ୍ତ ବିକ୍ରମ ବାଗ୍ରୀଙ୍କୁ ଗତ ୩୦ ତାରିଖରେ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ । କୋର୍ଟ ଆହୁରି କହିଥିଲେ ଯେ, ଅଭିଯୁକ୍ତ ଓ ତାଙ୍କ ପତ୍ନୀ ପୀଡିତାଙ୍କ ଘରକୁ ରାକ୍ଷୀପୂର୍ଣ୍ଣିମାରେ ଯିବେ । ଅଭିଯୁକ୍ତ ହାତରେ ମିଠା ପ୍ୟାକେଟ୍ ଧରି ପୀଡିତାଙ୍କ ଘରକୁ ଯିବେ । ଏହାସହ ପୀଡିତା ଅଭିଯୁକ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବେ । ଏହାସହ ପୀଡିତାଙ୍କ ପୁତ୍ରକୁ ମଧ୍ୟ ୫ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏପରି ରାୟ ବିରଳ ବୋଲି କୁହାଯାଉଛି । ତେବେ ବୁଦ୍ଧିଜୀବୀମାନେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.