ମଣିଷ ନା ସୈତାନ ! ଖେଳୁଥିବାବେଳେ ପାଟି କରିବାରୁ ୨ ଶିଶୁଙ୍କୁ ୪ ମହଲା ତଳକୁ ଫୋପାଡ଼ି ଦେଲା ପଡୋଶୀ, ୨ ବର୍ଷ ଶିଶୁର ମୃତ୍ୟୁ

Published By : Prameya-News7 Bureau | June 15, 2020 IST

କୋଲକାତା ୧୫/୦୬ : କୋଲକାତାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି | ଜଣେ ବ୍ୟକ୍ତି ପାସବିକତାର ସବୁ ସୀମା ପାର କରିଦେଇଛନ୍ତି | ଛୋଟ ଶିଶୁ ପାଟି କରୁଥିବାରୁ ଏହି ବ୍ୟକ୍ତି ଜଣକ ଦୁଇ ଶିଶୁଙ୍କୁ ୪ ମହଲା କୋଠରୀ ତଳକୁ ଫୋପାଡ଼ି ଦେଇଛନ୍ତି | ମଣିଷ ଏତେ ନିର୍ଦୟୀ କିଭଳି ହୋଇପାରେ | ୪ ମହଲା କୋଠାରୁ ଶିଶୁଙ୍କୁ ଫୋପାଡିବା ପରେ ଦୁଇ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବାବେଳେ ୬ ବର୍ଷୀୟ ଶିଶୁ ଗୁରୁତର ଆହତ ହୋଇଛି | ଘଟଣା ବୁର୍ଜାବଜାର ଅଞ୍ଚଳର | ଅଭିଯୁକ୍ତ ଜଣକ ହେଲା ୫୫ ବର୍ଷ ବୟସ୍କ ଶିବ କୁମାର ଗୁପ୍ତା | ପୋଲିସ ଅଭିଯୁକ୍ତକୁ ଗିରଫ କରି ହତ୍ୟା ଓ ହତ୍ୟା ଉଦ୍ୟମ ଧାରାରେ ମାମଲା ରୁଜ୍ଜୁ କରିଛି |

କୋଲକାତାର ଜଏଣ୍ଟ ପୋଲିସ କମିଶନର ମୁରଲୀଧର ଶର୍ମା କହିଛନ୍ତି ଯେ, ପଚରାଉଚୁରା ବେଳେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି | ଶିଶୁମାନେ ପାଟି କରୁଥିବାରୁ ସେ ରାଗିଯାଇଥିଲେ ଏବଂ ଏହିଭଳି କାଣ୍ଡ କରିଛନ୍ତି ବୋଲି ସେ ସ୍ୱୀକାର କରିଛି | କିଛି ଦିନ ପୂର୍ବରୁ ମଧ୍ୟ ଏହି ମାମଲାରେ ପିଲାଙ୍କ ଉପରେ ରାଗିଥିଲା | କିନ୍ତୁ ପରେ ପିଲାଙ୍କ ବାପା ମା ଆସି ମାମଲା ଥଣ୍ଡା କରିଥିଲେ | ରବିବାର ଦିନ ପିଲାମାନେ ଖେଳୁଥିବା ସମୟରେ ପାଟି କରିବାରୁ ସେ ପୁଣି ରାଗିଯାଇ ଏହିଭଳି ଅମାନବୀୟ କାଣ୍ଡ କରିଛି |

ଘଟଣା ପଛରେ ଆଉ ଏକ ଏଙ୍ଗଲ ସାମ୍ନାକୁ ଆସିଛି | ଦୁଇ ଶିଶୁଙ୍କ ବାପା ସହ ଅଭିଯୁକ୍ତର ବିବାଦ ହୋଇଥିଲା ବୋଲି କୁହାଯାଉଛି | ମାମଲା କେବଳ ପିଲାମାନଙ୍କ ସହ ଜଡିତ ନୁହେଁ | ଶିବ କୁମାର ଗୁପ୍ତା ଜଣେ ଝଗଡା ପ୍ରବଳ ଲୋକ ବୋଲି ଜଣାପଡିଛି | ସେ ଅଧିକାଂଶ ସମୟରେ ପାଖପଡ଼ୋଶୀଙ୍କ ସହ ଝଗଡା ପାଟିତୁଣ୍ଡ କରିଥାଏ | ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.