ଅସଦାଚରଣକୁ ବିରୋଧ କରିବାରୁ ମହିଳାଙ୍କ କୋଳରୁ ୬ ମାସର ଶିଶୁକୁ ଛଡେଇ ନିଆଁରେ ଫୋପାଡ଼ି ଦେଲା ଅଭିଯୁକ୍ତ

Published By : Prameya-News7 Bureau | January 31, 2021 IST

ମୁଜାଫରପୁର ୩୧/୦୧ : ବିହାର ମୁଜାଫରପୁର ବୋଚହାରୁ ଏକ ନିନ୍ଦନୀୟ ମାମଲା ସାମ୍ନାକୁ ଆସିଛି। ମହିଳା ଅସଦାଚରଣକୁ ବିରୋଧ କରିବାରୁ ମହିଳାଙ୍କ କୋଳରୁ ଶିଶୁକୁ ଛଡେଇ ନେଇ ନିଆଁରେ ପକାଇ ଦେଇଥିଲା ଅପରାଧୀ। ନିଆଁରେ ପୋଡି ଶିଶୁର ଅବସ୍ଥା ଗୁରୁତର ରହିଛି।  

ଏହି ବିଭତ୍ସ ଘଟଣା ମୁଜାଫରପୁର ଜିଲ୍ଲା ବୋଚହା ଥାନା ଅଞ୍ଚଳରେ ଘଟିଛି। ବୋଚହା ଅନ୍ତର୍ଗତ ଏକ ଗାଁରେ ଜଣେ ମହିଳାଙ୍କ ସହ ପଡୋଶୀ ଯୁବକ ଅସଦାଚରଣ କରିଥିଲେ। ମହିଳା ବିରୋଧ କରିବାରୁ ଅଭିଯୁକ୍ତ ମହିଳାଙ୍କ କୋଳରୁ ତାଙ୍କ ଶିଶୁକୁ ଛଡେଇ ନେଇ ନିଆଁରେ ଫୋପାଡ଼ି ଦେଇଥିଲା। ଶିଶୁଟିର ଶରୀରର ଅନେକ ଭାଗ ପୋଡି ଯାଇଛି। ଶିଶୁକୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

ପୀଡିତା ମହିଳା ଥାନାରେ ଅଭିଯୋଗ କରିଛନ୍ତି ଯେ, ସେ ରାତିରେ ନିଜ ଘର ବାହାରେ ବସି ନିଆଁ ପୁଁଥିଲେ। ତାଙ୍କ ଘର ସାମ୍ନାରେ ରହୁଥିବା ଜଣେ ଯୁବକ ତାଙ୍କ ପାଖକୁ ଆସି ସେ ବି ନିଆଁ ପୁଇଁବାକୁ ଲାଗିଲା। ସେ ମହିଳାଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲା। ମହିଳା ତାକୁ ବିରୋଧ କରିବାରୁ ତାଙ୍କ କୋଳରୁ ୬ ମାସର ଶିଶୁକୁ ଛଡେଇ ନେଇ ନିଆଁରେ ଫୋପାଡ଼ି ଦେଇଥିଲା।

ମହିଳା ପାଟି କରିବାରୁ ଅଭିଯୁକ୍ତ ଯୁବକ ସେଠାରୁ ଫେରାର ହୋଇଯାଇଥିଲା। ଏହାପରେ ମହିଳା ଓ ତାଙ୍କ ଘରଲୋକ ତୁରନ୍ତ ଶିଶୁକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁ ସୁରକ୍ଷିତ ଅଛି। ଘଟଣା ପରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଯାଞ୍ଚ ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ପ୍ରଭାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.