ପ୍ରକୃତି ନୈବ ମୁଚ୍ୟତେ…, ଭାବି ପତ୍ନୀଙ୍କ ଘରୁ ବି ଚୋରି କଲା ପେଶାଦାର ଚୋର, ଘୋଡ଼ା ଚଢ଼ିବା ପୂର୍ବରୁ ଗଲା ଜେଲ୍‌

Published By : Prameya-News7 Bureau | July 30, 2021 IST

ଆଗ୍ରା ୩୦/୭: ଏମିତି ଚୋର ଯାହା ପାଇଁ ଚୋରି ପେଶା, ନିଶା ସବୁ କିଛି। ଏମିତିକି ସେ ନିଜ ଭାବୀ ପତ୍ନୀଙ୍କ ଘରୁ ବି ଚୋରି କରିବାକୁ ପଛାଇଲା ନାହିଁ। ନିର୍ବନ୍ଧ ସରିଥିଲା ବାହା ଘର ହୋଇଥିାନ୍ତା। ଘୋଡ଼ା ଚଢ଼ିବା ପୂର୍ବରୁ ଜିପ୍‌ରେ ବସି ଜେଲ ଯାଇଛି କୁଖ୍ୟାତ ଚୋର। ଆଗ୍ରା ପୋଲିସ ଦୁଇ ଜଣ ଚୋରକୁ ଧରିଛି। ଦୀର୍ଘ ଦିନ ହେଲା ଚୋରି କରି ପୋଲିସକୁ ନାକେଦମ କରିଥିବା ଚୋର ଶୁକ୍ରବାର ଧରାପଡ଼ିଥିବା ଜଣାପଡ଼ିଛି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଚୋର ନିଜ ଭାବି ସ୍ତ୍ରୀଙ୍କ ଘରୁ ଚୋରି କରିଛି।

ଏନେଇ ଜାଣିବା ପରେ ହେବାକୁ ଥିବା ଶ୍ବଶୁର ଘର ଲୋକେ ବାହା ଘର ମଧ୍ୟ ଭାଙ୍ଗିଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଗ୍ରାର ବରହନ ଥାନା ପୋଲିସ ଅଜୟ ଏବଂ ଶୈଳେନ୍ଦ୍ରକୁ ଗିରଫ କରିଛି। ଦୁଇ ଚୋର ଚଳନ୍ତା ଟ୍ରେନ୍‌ରୁ ମଧ୍ୟ ଚୋରି କରି ନିଜର କୁଖ୍ୟାତି ବଢ଼ାଇଛନ୍ତି। ଯେଉଁଠୁ ଯାହା ମିଳିଲା ସେମାନେ ତାହା ​‌ଚୋରି କରିନିଅନ୍ତି । ପୋଲିସ ସୋମନଙ୍କ ପାଖରୁ ୧୧ଟି ମୋବାଇଲ୍‌ ଫୋନ୍‌ ଏବଂ ଗୋଟିଏ ଲାପଟପ୍‌ ଜବତ କରିଛି ।

ଭାବି ପତ୍ନୀଙ୍କ ଘରୁ ଚୋରି କରିଥିଲା ଅଜୟ
ଗିରଫ ହୋଇଥିବା ଦୁଇ ଚୋର ଆଗ୍ରାର ବରହନ ଅଞ୍ଚଳର। ଅଜୟର ବିବାହ ଅଲିଗଡ଼ ଜିଲ୍ଲାର ଗୋଟିଏ ଗାଁରେ ଠିକ୍‌ ହୋଇଥିଲା। ବାହା ଘର ଠିକ୍‌ ହେବା ପରେ ଅଜୟ ନିଜର ଭାବି ଶ୍ବଶୁର ଘରକୁ ବୁଲିବାକୁ ମଧ୍ୟ ଯାଇଥିଲା। ସେଠାରେ ତାଙ୍କୁ ଭଲ ଚର୍ଚ୍ଚା ଏବଂ ସମ୍ମାନ ମିଳିଥିଲା। କିନ୍ତୁ ରାତିରେ ମଉକା ଦେଖି ଅଜୟ ନିଜର ଭାବି ପତ୍ନୀଙ୍କ ଘରେ କଳାକନା ବୁଲାଇଥିଲା। ଦୁଇଟି ମୋବାଇଲ୍‌ ଏବଂ ଟଙ୍କା ଚୋରି କରି ସେଠାରୁ ଚମ୍ପଟ ମାରିଥିଲା ଅଜୟ। ଏନେଇ ଜଣାପଡ଼ିବା ପ​‌ରେ ଅଜୟର ଭାବି ଶ୍ବଶୁର ଘର ଲୋକେ ବାହା ଘର ଭାଙ୍ଗିଦେଇଛନ୍ତି ।

ଟ୍ରେନରୁ ବି କରୁଥିଲେ ଚୋରି
ଏସପି ଓ୍ବେଷ୍ଟ ସତ୍ୟଜିତ୍‌ ଗୁପ୍ତାଙ୍କ ଅନୁସାରେ, ଅଜୟ ଏବଂ ଶୈଳେନ୍ଦ୍ର କୁଖ୍ୟାତ ଚୋର। ଏବେ ସେମାନେ ଜେଲ୍‌ରେ ଅଛନ୍ତି। ସେମାନେ ଟ୍ରେନ୍‌ରେ ହୋଇଥିବା ବହୁ ଚୋରି ସମ୍ପର୍କରେ ମାନିଛନ୍ତି । ଏବେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି। ଏହି ମାମଲା ସହ ଜଡ଼ିତ ଆହୁରି ଅନେକ ଖୁଲାସା ହୋଇପାରେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.