ହତ୍ୟା ଲୁଚାଇବାକୁ ହତ୍ୟା, ଧରାପଡ଼ିବା ଭୟରେ ୯ ଜଣଙ୍କୁ କୂଅରେ ଫୋପାଡ଼ି ମାରିଲା ଅଭିଯୁକ୍ତ

Published By : Prameya-News7 Bureau | October 28, 2020 IST

ହାଇଦ୍ରାବାଦ ୨୮/୧୦: କଥାରେ ଅଛି ସତ କେବେ ଲୁଚି ରହେନା। ମିଛର କଳାବାଦଲ ସତ୍ୟକୁ ହୁଏତ ଲୁଚାଇବାକୁ ଶତ ଚେଷ୍ଟା କରେ କିନ୍ତୁ ଏହା ସମ୍ଭବ ନୁହେଁ। ଗୋଟିଏ ଭୁଲ୍‌କୁ ଲୁଚାଇବାକୁ ଯାଇ ବାରମ୍ବାର ଭୁଲ୍‌ କରି ଆଇନ୍‌ ହାତରୁ ଖସିଯିବା ବି ସମ୍ଭବ ନୁହେଁ। ଏଭଳି ଏକ ଘଟଣା ଘଟିଛି ତେଲେଙ୍ଗାନାର ଓ୍ବାରଙ୍ଗଲ ଜିଲ୍ଲାରେ। ପଶ୍ଚିମବଙ୍ଗରୁ ତେଲେଙ୍ଗାନା କାମ କରିବାକୁ ଯାଇଥିବା ଜଣେ ୨୫ ବର୍ଷୀୟ ଯବୁକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ଚଳିତ ବର୍ଷ ମେ’ ମାସରେ ପୂର୍ବରୁ କରିଥିବା ହତ୍ୟାକୁ ଲୁଚାଇବା ପାଇଁ ୯ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ। ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ସଦସ୍ୟ ଥିବା ଜଣାପଡ଼ିଛି।  ତେବେ ଏହି ମାମଲାର ଶୁଣାଣି କରି ଓ୍ବାରଙ୍ଗଲ ଅତିରିକ୍ତ ଜିଲ୍ଲା ଜଜ୍ ଜୟ କୁମାର ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଅଭିଯୁକ୍ତର ନାଁ ସଞ୍ଜୟ କୁମାର ଯାଦବ ଓ ତାର ବୟସ ୨୫ ବୋଲି ପୋଲିସ କହିଛି।

ପୋଲିସର ସୂଚନା ଅନୁସାରେ, ସଞ୍ଜୟ କୁମାର ଯାଦବ ତାମିଲନାଡ଼ୁରେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା। ସେ ହତ୍ୟା କରିଥିବା ଅନ୍ୟ ୯ ଜଣ ମଧ୍ୟ ଓ୍ବାରଙ୍ଗଲର ଏକ ବ୍ୟାଗ୍‌ ତିଆରି କମ୍ପାନୀରେ କାର୍ଯ୍ୟ କରୁଥିଲେ। ସଞ୍ଜୟ କୁମାର ହତ୍ୟା କରିଥିବା ୯ ଜଣ ଶ୍ରମିକ ହେଉଛନ୍ତି, ଏମଡି ମକସୁଦ୍‌(୫୫), ତାଙ୍କ ପତ୍ନୀ ନିଶା (୪୮), ତାଙ୍କ ପୁଅ ଶାହାବାଦ ଆଲମ(୨୧) ଓ ଶୋଏଲ ଆଲମ (୧୮), ଝିଅ ବୁଶରା(୨୦) ଓ ତାଙ୍କର ତିନି ବର୍ଷର ଝିଅ ଶୋଏବ, ବିହାରର ଶ୍ରୀରାମ (୨୧) ଓ ଶ୍ୟାମ୍‌(୨୨),  ତ୍ରିପୁରାର ଶକିଲ(୩୦)।

ତେବେ ଏମାନଙ୍କୁ ସଞ୍ଜୟ ମାରିବା ପଛରେ ରହିଛି ବଡ଼ ରହସ୍ୟ। ମିଳିଥିବା ତଥ୍ୟ ଅନୁସାରେ ମକସୁଦଙ୍କ ଭଉଣୀ ରାଫିକାଙ୍କ ସହ ସଞ୍ଜୟର ଅବୈଧ ସମ୍ପର୍କ ଥିଲା। ରାଫିକା ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିବା ବେଳେ ତାମିଲନାଡ଼ୁରେ ରହି କାର୍ଯ୍ୟ କରୁଥିଲେ। କିନ୍ତୁ ମାର୍ଚ୍ଚ ୬ ତାରିଖରେ ରଫିକାଙ୍କ ସହ ପଶ୍ଚିମବଙ୍ଗ ଯିବାକୁ ସଞ୍ଜୟ ବାହାରିଥିଲା । ଯିବା ରାସ୍ତାରେ ଆନ୍ଧ୍ରପ୍ରଦେଶର ନିଦୁବରୋଲରେ ରାଫିକାଙ୍କୁ ହତ୍ୟା କରିବା ପରେ ପୁଣି ଓ୍ବାରଙ୍ଗଲ ଫେରିଆସିଥିଲା ସଞ୍ଜୟ।

ତେବେ ସଞ୍ଜୟ ଏକା ଫେରିଆସିବା ପରେ ମକସୁଦ ଓ ତାଙ୍କ ପରିବାର ସନ୍ଦେହ କରିଥିଲେ। କିନ୍ତୁ ଏହି କଥା ସଞ୍ଜୟଙ୍କୁ ପଚାରିବାରୁ ଧରାପଡ଼ିଯିବା ଭୟରେ ସେମାନଙ୍କୁ ଠିକଣା ସ୍ଥାନରେ ଲଗାଇବାକୁ ଯୋଜନା କରିଥିଲା ଅଭିଯୁକ୍ତ। ପରେ ସେମାନଙ୍କୁ ଖାଦ୍ୟରେ ନିଶା ଟ୍ୟାବଲେଟ୍‌ ଦେଇଥିଲା ସଞ୍ଜୟ। ସେମାନେ ବେହୋସ ହୋଇଯିବା ପରେ ସେମାନଙ୍କୁ ବ୍ୟାଗରେ ପୂରାଇ ପାଖରେ ଥିବା ଏକ ପରିତ୍ୟକ୍ତ କୂଅରେ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ।

ସିସିଟିଭିରୁ ସଞ୍ଜୟ ସେମାନଙ୍କ ଘରକୁ ସନ୍ଧ୍ୟା ୫.୩୦ରେ ଯିବା ଓ ପରଦିନ ସକାଳ ୬.୩୦ରେ ବାହାରିବା ନେଇ ସିସିଟିଭି ଫୁଟେଜ୍‌ରୁ ହିଁ ପୋଲିସ ଜାଣିପାରିଥିଲା। ତେବେ ସଞ୍ଜୟକୁ ଗିରଫ କରି ପଚରାଉଚରା କରିବା ପରେ ସେ ସବୁ ସତ ମାନିଥିଲା। ପରେ ତାକୁ କୋର୍ଟରେ ହାଜର କରିଥିଲା ପୋଲିସ। ୬୯ ସାକ୍ଷୀ ଓ ୯୮ ଲୋକଙ୍କୁ ଜେରା କରିବା ପରେ କୋର୍ଟ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.