ରାସ୍ତାରେ ଏକୁଟିଆ ବୁଲୁଥିଲେ ଯୁବକ, ସାମାଜିକ ଦୂରତା ନିୟମ ଭାଙ୍ଗିଥିବାରୁ ଉଠାଇନେଲା ପୋଲିସ

Published By : Prameya-News7 Bureau | June 19, 2021 IST

ଅହମଦାବାଦ ୧୯/ ୦୬ : ଦେଶରେ ମହାମାରୀ କରୋନା ବ୍ୟାପିବାକୁ ବର୍ଷେରୁ ଉର୍ଦ୍ଧ୍ବ ସମୟ ହୋଇଗଲଣି । କିନ୍ତୁ ଏମିତି ଲାଗୁଛି କି ଗୁଜରାଟ ପୋଲିସ ବର୍ତ୍ତମାନ ସୁଦ୍ଧା ଜାଣିନାହିଁ ଯେ ସାମାଜିକ ଦୂରତା କଣ । ନିକଟରେ ଏଭଳି ଏକ ଘଟଣା ଘଟିଛି ଗୁଜରାଟର ବନସକାନ୍ଥ ଜିଲ୍ଲାରେ । ସାମାଜିକ ଦୂରତା ମାନିନଥିବାରୁ ଖୋଲା ସ୍ଥାନରେ ଏକୁଟିଆ ବୁଲୁଥିବା ଜଣେ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ । ଯୁବକ ଜଣକ ଅମୀରଗଡ ଥାନା ଇକବାଲ ଗଡର ମହାଦେବଜୀ ଚୌହାନ ବୋଲି ଜଣାପଡିଛି ।


ସୂଚନା ଅନୁଯାୟୀ, ମହାଦେବଜୀ କୋଭିଡ କଟକଟଣାକୁ ଭାଙ୍ଗି ତାଙ୍କ ନିଜ ଗାଁ ନିକଟରେ ବୁଲୁଥିଲେ । ସାମାଜିକ ଦୂରତା ମାନିନଥିବାରୁ ତାଙ୍କ ବିରୁଦ୍ଧର ମାମଲା ରୁଜୁ କରିଥିଲା ପୋଲିସ ଯେତେବେଳେ କି ସେ ଏକୁଟିଆ ବୁୁଲୁଥିଲେ । ଅହମ୍ମଦାବାଦରେ ଗ୍ରାହକଙ୍କ ସହ ସାମାଜିକ ଦୂରତା ନିୟମ ପାଳନ କରିନଥିବା ଅଭିଯୋଗରେ କିଛି ହେୟାର ଡ୍ରେସରଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି ପୋଲିସ । ଅହମ୍ମଦାବାଦର ଘାଟଲୋଡିଆ ପୋଲିସ ନିକଟରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଗ୍ରାହକଙ୍କ ସହ ସାମାଜିକ ଦୂରତା ବଜାୟ ନରଖିବା ଅଭିଯୋଗରେ ମେମନଗର ବାସିନ୍ଦା ରାଜୁ ଭାଲାଣ୍ଡ (୩୦)ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ । ଏଠି ପ୍ରଶ୍ନ ଉଠୁଛି ଯେ କେଶ କାଟିବା ସମୟରେ ସେଲୁନ୍ କର୍ମଚାରୀଙ୍କ ଦ୍ୱାରା କିପରି ସାମାଜିକ ଦୂରତା ବଜାୟ ରହିପାରିବ ?

ଅନ୍ୟ ଏକ ଘଟଣାରେ, ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତି କୌଣସି ଟିକା ନ ନେଇ ମଧ୍ୟ ଟିକାକରଣ ପ୍ରମାଣପତ୍ର ପାଇଥିଲେ। ମ୍ୟୁନିସିପାଲିଟି କର୍ପୋରେସନଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ଟିକାକରଣ କେନ୍ଦ୍ରର କର୍ମଚାରୀମାନେ ତାଙ୍କ ପରିଚୟପତ୍ରର ଅପବ୍ୟବହାର କରିଛନ୍ତି ବୋଲି ବୃଦ୍ଧ ଜଣକ ସନ୍ଦେହ କରୁଛନ୍ତି। ସେ କହିଛନ୍ତି ଯେ ଗତ ସପ୍ତାହରେ ସେ ଟିକାକରଣ କେନ୍ଦ୍ର ପରିଦର୍ଶନ କରି ଇନୋକ୍ୟୁଲେସନ ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ। ପରେ ଉକ୍ତ କର୍ମଚାରୀମାନେ ତାଙ୍କ ଆଇଡି କାର୍ଡ ମାଗିଥିଲେ ଏବଂ ପରେ ସେ ଟିକା ନେଇଛନ୍ତି ବୋଲି କହିଥିଲେ ଏବଂ ନମାନିଲେ ଜରିମାନା ଦେବାକୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.