ପତ୍ନୀର ଗଣ୍ଡିରୁ ମୁଣ୍ଡ ଅଲଗା କରି କହିଲା ‘ଭାରତ ମାତା କୀ ଜୟ’, କଟାମୁଣ୍ଡ ଧରି ପହଞ୍ଚିଲା ଥାନାରେ
1/02/2020 at 9:44 PM

ବାରାବାଙ୍କୀ ୧।୨: ଘରୋଇ କଳିରୁ ଉତ୍ତରପ୍ରଦେଶ ବାରାବାଙ୍କୀରେ ଘଟିଛି ଅମାନବୀୟ କାଣ୍ଡ। ଜଣେ ସ୍ୱାମୀ ତା ସ୍ତ୍ରୀକୁ ହତ୍ୟା କରି କଟା ମୁଣ୍ଡସହ ପହଞ୍ଚିଛି ଥାନାରେ। ଏପରି ଅବସ୍ଥାରେ ଯୁବକକୁ ଦେଖି ପୋଲିସ ବି ସ୍ତବ୍ଦ ହୋଇଯାଇଥିଲା। ଅଭିଯୁକ୍ତକୁ ପୋଲିସ ଅଖିଳେଶ ରାବତ ନାମରେ ଚିହ୍ନଟ କରିଥିବା ବେଳେ ସେ ଜାହାଁଗୀରବାଦ ଥାନା ବାହାଦୂରପୁର ଗାଁର ବାସିନ୍ଦା ବୋଲି କହିଛି।

ଅଭିଯୁକ୍ତ ପତ୍ନୀର କଟାମୁଣ୍ଡ ଧରି ଥାନାକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲି ତାକୁ କାବୁ କରିନେଇଥିଲା। ଯେତେବେଳେ ପୋଲିସ ତା ଠାରୁ କଟା ମୁଣ୍ଡ ଜବତ କରିବାକୁ ଉଦ୍ୟମ କଲା ସେ ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତମାତା କୀ ଜୟ ବୋଲି ନାରା ଲଗାଇଥିଲା। ପରେ ପୋଲିସ ତାଠାରୁ କଟା ମୁଣ୍ଡ ଜବତ କରିବା ସହ ତାକୁ ହାଜତରେ ରଖି ମାମଲାର ତଦନ୍ତ ଆରମ୍ଭ କରିଛି।

ପଡୋଶୀଙ୍କ ଅନୁସାରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ କଳହ ହେଉଥିଲା। ହେଲେ ପରିବାର ଲୋକେ ଘରେ ସମାଧାନ କରିଦେଉଥିଲେ। ତେବେ ଶନିବାର ପରିସ୍ଥିତି ଭିନ୍ନ ହୋଇଯାଇଥିଲା। ସେ ପତ୍ନୀକୁ ପିଟି ଘରଭିତରକୁ ଭିଡି ନେଇ କୌଣସି ଧାରୁଆ ଅସ୍ତ୍ରରେ ମୁଣ୍ଡ କାଟି ହାତରେ ଧରି ଥାନାକୁ ବାହାରିଥିଲା। ରାସ୍ତାରେ କଟାମୁଣ୍ଡ ସହ ତାକୁ ଦେଖି ଲୋକେ ଏଣେତେଣେ ଦଉଡାଧାପଡା କରୁଥିବା ବେଳେ ପୋଲିସ ପହଞ୍ଚି ତାକୁ ରାସ୍ତାରୁ ଧରି ନେଇଛି।