ଚଳନ୍ତା ଟ୍ରେନ୍ରୁ ସ୍ତ୍ରୀକୁ ଠେଲିଦେଲା ସ୍ବାମୀ, ୨ ମାସ ପୂର୍ବରୁ ହୋଇଥିଲା ବିବାହ
14/01/2021 at 5:29 PM

ମୁମ୍ବାଇ ୧୪/୦୧: ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଟ୍ରେନ୍ରେ ଯାତ୍ରା କରୁଥିଲେ। ଲୋକାଲ ଟ୍ରେନ୍ର ଗେଟ୍ ପାଖରେ ଛିଡ଼ା ହୋଇ ୩ ଜଣ କେଉଁଆଡ଼େ ଯାଉଥିଲେ। ଟ୍ରେନ୍ ଚାଲିଥିବା ବେଳେ ବାହାର ଦୃଶ୍ୟ ଦେଖିବାକୁ ସ୍ତ୍ରୀ ଗେଟ୍ ବାହାରକୁ ମୁଣ୍ଡ ବାହର କରିଥିଲେ। ଏହାର ମଉକା ନେଇ ସ୍ବାମୀ, ସ୍ତ୍ରୀକୁ ଚଳନ୍ତା ଟ୍ରେନ୍ରୁ ତଳକୁ ଠେଲିଦେଲା। ତଳେ ପଡ଼ି ଅଚେତ ହୋଇଥିବା ମହିଳାଙ୍କର ହସ୍ପିଟାଲରେ ମତ୍ୟୁ ହୋଇଥିବା ଜିଆରପି ପକ୍ଷରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ଘଟଣାଟି ମୁମ୍ବାଇର ଚେମ୍ବୁର ଓ ଗୋମ୍ବାଡ଼ି ରେଳ ଷ୍ଟେସନ୍ ମଧ୍ୟରେ ଘଟିଛି। ୨୬ ବର୍ଷୀୟା ସ୍ତ୍ରୀକୁ ଟ୍ରେନ୍ରୁ ଠେଲି ମାରିଛି ୩୧ ବର୍ଷୀୟ ସ୍ବାମୀ। ତେବେ ସେମାନଙ୍କର ବିବାହ ୨ ମାସ ପୂର୍ବରୁ ହୋଇଥିଲା। ମହିଳାଜଣଙ୍କ ଦୁଇ ମାସ ତଳେ ଦ୍ବିତୀୟ ବିବାହ କରିଥିଲେ । ତାଙ୍କ ସହ ଯାତ୍ରା କରୁଥିବା ଝିଅଟି ତାଙ୍କ ପ୍ରଥମ ବିବାହ ପରେ ଜନ୍ମ ନେଇଥିବା ଜିଆରପି ପୋଲିସ କହିଛି।
ଦୁଇ ଜଣ ଶ୍ରମିକ ହୋଇଥିବା ବେଳେ ଲୋକାଲ ଟ୍ରେନ୍ରେ କେଉଁଆଡ଼େ ଯାତ୍ରା କରୁଥିଲେ। ସ୍ତ୍ରୀ ଟ୍ରେନ୍ର ଗେଟ୍ ପାଖରେ ଛିଡ଼ା ହୋଇଥିବା ବେଳେ ବାହାରକୁ ଚାହିଁଥିଲେ। ଏହାର ସୁଯୋଗ ନେଇ ସ୍ବାମୀ ତାଙ୍କୁ ତଳକୁ ଠେଲି ଦେଇଥିଲା। ଯେତେବେଳେ ଟ୍ରେନ୍ ଗୋମ୍ବାଡ଼ି ଷ୍ଟେସନରେ ଅଟକିଲା ସେଠାରେ ଜଣେ ମହିଳା ଯାତ୍ରୀ ସମସ୍ତ ଘଟଣା ସମ୍ପର୍କରେ ଜିଆରପିକୁ ଜଣାଇଥିଲେ। ମହିଳାଙ୍କ ପାଖରୁ ସମସ୍ତ ଘଟଣା ଶୁଣିବା ପରେ ଅଭିଯୁକ୍ତକୁ କାବୁ କରିଥିଲା ରେଲ୍ଓ୍ବେ ପୋଲିସ।
ପରେ ଜିଆରପି ଅଧିକାରୀ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତ ଘଟଣା ସମୟରେ ନିଶାରେ ଥିଲା କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି। ଅନ୍ୟପଟେ ଝିଅଟିକୁ ତାଙ୍କର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।