ଏମିତି କ'ଣ ହେଲା ଯେ ତିନି ମହଲା ଛାତରୁ ସ୍ତ୍ରୀଙ୍କୁ ଧକ୍କା ଦେଲେ ସ୍ବାମୀ ? ଶାଳୀଙ୍କୁ ଜଣାଇ ହୋଇଗଲେ ଫେରାର

Published By : Prameya-News7 Bureau | May 28, 2021 IST

କୋଟା ୨୮।୫: ରାଜସ୍ଥାନ କୋଟାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ମହଲାରୁ ଠେଲି ଦେଲେ । ଆଉ ଶାଳୀଙ୍କୁ ଏ ସଂପର୍କରେ ଖବର ଦେଇ ଘରୁ ଫେରାର ହୋଇଗଲେ । ପୋଲିସ କହିଛି ଯେ, ତିନି ମହଲା ଛାତରୁ ପଡିବା ପରେ ପତ୍ନୀଙ୍କର ମୃତ୍ୟୁ ହୋଇଛି । ଉଦ୍ୟୋଗ ନଗର ଥାନାର ଇନ୍ସପେକ୍ଟର ମହମ୍ମଦ ଇବ୍ରାହିମ କହିଛନ୍ତି ଯେ, ଗୁରୁବାର ଅପରାହ୍ନ ପ୍ରାୟ ୩ଟା ବେଳେ ଘଟଣା ଘଟିଛି । ଅଭିଯୁକ୍ତ ୪୫ ବର୍ଷ ବୟସ୍କ ହଂସରାଜ ବୈରଓ୍ବା ଏବଂ ତାଙ୍କ ପତ୍ନୀ ୪୦ ବର୍ଷ ବୟସ୍କା ନିଶା ବୈରଓ୍ବାଙ୍କ ସହ ପ୍ରେମ ନଗରରେ ଭଡା ଘର ଦେଖିବାକୁ ଯାଇଥିଲେ ।

ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ପରିସ୍ଥିତି ଏମିତି ହେଲା ଯେ, ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏହା ପରେ ହଂସରାଜ ତାଙ୍କ ପତ୍ନୀଙ୍କୁ ତିନି ମହଲାରୁ ଧକ୍କା ଦେଇଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ଅଧିକାରୀ ଇବ୍ରାହିମ୍ କହିଛନ୍ତି ଯେ, ଗତ କିଛି ମାସ ହେବ ଏହି ଦମ୍ପତ୍ତିଙ୍କ ମଧ୍ୟ ଭଲ ସମ୍ପର୍କ ନଥିଲା । ଯେଉଁଥିପାଇଁ ନିଶା ସହରରେ ଥିବା ତାଙ୍କ ମାମୁଁଙ୍କ ଘରେ ରହୁଥିଲେ । ସେ କହିଛନ୍ତି ଯେ ହଂସରାଜଙ୍କ ବିରୋଧରେ ଆଇପିସିର ଧାରା ୩୦ ଅନୁଯାୟୀ ମାମଲା ରୁଜୁ ହୋଇଛି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.