କରଜ ନ ସୁଝିବା ପାଇଁ ଟଙ୍କା ଚୋରିର ଡ୍ରାମା , କିନ୍ତୁ ଫେଲ୍ କରିଦେଲା ପୋଲିସ୍
6/02/2020 at 2:14 PM

ଗ୍ରେଟର ନୋଏଡ଼ା ୬/୨: ଗ୍ରେଟର ନୋଏଡ଼ାର ଦାଦରି ଅଞ୍ଚଳରେ ଏକ ଅଜବ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜର ଦୁଇ ଲକ୍ଷ ଟଙ୍କା ଲୁଟ ହୋଇଥିବା ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ଯେତେବେଳେ ପୋଲିସ୍ ଏହି ମାମଲାର ତଦନ୍ତ କରିଥିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବ୍ୟକ୍ତି ଜଣକ ନିଜ ସହ ଲୁଟ ଷଡ଼ଯନ୍ତ୍ର ରଚି ସବୁ ଟଙ୍କା ନିଜ ଭଉଣୀଙ୍କ ପାଖକୁ ପହଞ୍ଚାଇ ଦେଇଥିଲେ।
ଏହା ପରେ ସେହି ବ୍ୟକ୍ତି ଏକ ମିଛ ଏବଂ ମନଗଢ଼ା କାହାଣୀ ପୋଲିସକୁ କହିଥିଲେ। ପୋଲିସଙ୍କ କହିବା ଅନୁସାରେ ଯୁବକ କରଜ ଟଙ୍କା ନ ଦେବାର ବାହାନା କରି ଏହି ଲୁଟ ଷଡ଼ଯନ୍ତ୍ର ରଚିଥିଲେ। ବର୍ତ୍ତମାନ ପୋଲିସ୍ ଯୁବକକୁ ଗିରଫ କରି ଜେଲ୍ ପଠାଇ ଦେଇଛି।
ପୋଲିସ୍ କହିବା ଅନୁସାରେ ଅଭିଯୁକ୍ତ ରାମପୁର ଜିଲ୍ଲାରେ ରୁହନ୍ତି। ତାଙ୍କ ନାଁ ହସିନ। ଘଟଣାଟି ଘଟିଛି ଦାଦରି ଥାନା ଅଞ୍ଚଳରେ। ହସିନ ପୋଲିସକୁ ସୂଚନା ଦେଇଥିଲେ ଯେ ସ୍ବିଫ୍ଟ କାରରେ ଆସି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କଠୁ ୨ଲକ୍ଷ ଟଙ୍କା ଏବଂ ବାଇକ୍ ଲୁଟିଥିଲେ।
ପୋଲିସ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲା। ପୋଲିସ୍ ଭଲ ଭାବେ ତଦନ୍ତ କରିବାରୁ ଘଟଣା ବିଷୟରେ ଜଣା ପଡ଼ିଥିଲା। ପୋଲିସ୍ ବ୍ୟକ୍ତିଙ୍କ ବାଇକ୍ ଘଟଣାସ୍ଥଳ ନିକଟରେ ଥିବା ବୁଦାରୁ ଜବତ କରିଥିଲା। ହସିନ ନିଜ ବାଇକକୁ ସେଠାରେ ଲୁଚାଇ ଦେଇଥିଲେ ଏବଂ ଏହାର ଚାବି ମାଟି ତଳେ ପୋତି ଦେଇଥିଲେ।
ପ୍ରକୃତରେ ହସିନ୍ ଅନେକ ଜଣଙ୍କଠୁ ୮ରୁ ୯ଲକ୍ଷ ଟଙ୍କାର କରଜ ନେଇଥିଲେ। ଏବେ କିଛି ଦିନ ତଳେ ସେ ନିଜ ଫ୍ଲାଟ୍ ବିକ୍ରି କରିଥିଲେ ଯେଉଁଥିରୁ ତାଙ୍କୁ ଅନେକ ଟଙ୍କା ମିଳିଥିଲା। ଏହି ଟଙ୍କାକୁ ଜମା କରିବା ଲାଗି ସେ ନିଜ ସହ ଲୁଟ ଷଡ଼ଯନ୍ତ୍ର ରଚିଥିଲେ ଏବଂ ପୋଲିସ ଆଖିରେ ଧୂଳି ଦେବାର ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ୍ ଅସଲି ଘଟଣା ବିଷୟରେ ଜାଣିପାରିଥିଲା ଏବଂ ବ୍ୟକ୍ତିଙ୍କ ଯୋଜନା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।
ବର୍ତ୍ତମାନ ପୋଲିସ୍ ତାଙ୍କଠୁ ୨ଲକ୍ଷ ଟଙ୍କା ଜବତ କରିଛି ଯାହା ସେ ନିଜ ଭଉଣୀ ଘରେ ଛାଡ଼ି ଆସିଥିଲା। ପୋଲିସ୍ ତାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଜେଲ୍ ପଠାଇ ଦେଇଛି।