ସ୍ତ୍ରୀର କ୍ରେଡିଟ୍‌ କାର୍ଡରୁ ପ୍ରେମିକାଙ୍କ ଟ୍ରାଫିକ୍‌ ଫାଇନ୍‌ ଭରିଲା ସ୍ବାମୀ, ତଦନ୍ତ ପରେ ଜଣାପଡ଼ିଲା ସତ

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ ୨୯/୦୧: ଆଜିକାଲି ଟଙ୍କା ଲେଣ ଦେଣ  ପାଇଁ ଲୋକେ କ୍ରେଡିଟ ଏବଂ ଡେବିଟ୍‌ କାର୍ଡ ବ୍ୟବହାର କରୁଛନ୍ତି। ଏହି କାର୍ଡ ଜରିଆରେ ସମସ୍ତ ପ୍ରକାର ଲେଣ ଦେଣ କାର୍ଯ୍ୟ ଅତି ସହଜରେ ହୋଇପାରୁଛି। କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡରେ ହିଁ ଏବେ ଟ୍ରାଫିକ୍‌ ଫାଇନ୍‌ ଭରିବା ସହଜ ହୋଇଗଲାଣି। କିନ୍ତୁ ଦୁବାଇରେ କ୍ରେଡିଟ୍‌ କାର୍ଡକୁ ନେଇ ଘଟିଥିବା ଏକ ଘଟଣା ଚର୍ଚ୍ଚା ପରିସରକୁ ଆସିଛି। ଜଣେ ଯୁବକ ପ୍ରେମିକାଙ୍କ ଟ୍ରାଫିକ୍‌ ଫାଇନ୍‌ ଭରିବା ପାଇଁ  ନିଜ ସ୍ତ୍ରୀଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରିଛନ୍ତି।

ଏହି ଲେଣ ଦେଣକୁ ନେଇ ବ୍ୟାଙ୍କରୁ କାର୍ଡ ହୋଲ୍ଡରଙ୍କୁ ମେସେଜ୍‌ ଯିବା ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ। କାରଣ, ତାଙ୍କର ସନ୍ଦେହ ହୋଇଥିଲା ଯେ ତାଙ୍କର କ୍ରେଡିଟ୍‌ କାର୍ଡ ହ୍ୟାକ୍‌ କରିଛନ୍ତି। କିନ୍ତୁ ପୋଲିସ ଏହି ମାମଲାରେ ଛାନଭିନ୍‌ କରିବା ପରେ ସତ ଜଣାପଡ଼ିଥିଲା।

ମହିଳା ଜଣଙ୍କ କାର୍ଡ ହ୍ୟାକ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏପରିକି ତାଙ୍କ କାର୍ଡ ବ୍ୟବହାର ଯୋଗେ ଟ୍ରାଫିକ ଫାଇନ୍‌ ଦିଆଯାଇଥିବା ନେଇ ମଧ୍ୟ ମହିଳା ସୂଚନା ଦେଇଥିଲେ। ଦୁବାଇ ପୋଲିସର ସାଇବର କ୍ରାଇମ୍‌ ବିଭାଗ ଉପ ନିର୍ଦେଶକ କ୍ୟାପ୍ଟେନ ଅବଦୁଲଙ୍କ ଅନୁସାରେ ‘ତାଙ୍କ ବିଭାଗ ମହିଳାଙ୍କ ପାଖରୁ ଏହି ଅଭିଯୋଗ ପାଇଥିଲା। ଏହା ପରେ ଆମେ ମାମଲାର ଯାଞ୍ଚ କରିଥିଲୁ। ତଦନ୍ତ ପରେ ଜଣାପଡ଼ିଥିଲା ମହିଳାଙ୍କ ସ୍ବାମୀ ତାଙ୍କ ପ୍ରେମିକାଙ୍କ ଟ୍ରାଫିକ୍‌ ଫାଇନ୍‌ ଭରିବା ପାଇଁ କ୍ରେଡିଟ୍‌ କାର୍ଡ ବ୍ୟବହାର କରିଥିଲେ।’

ତେବେ ସ୍ବାମୀ କ୍ରେଡିଟ୍‌ କାର୍ଡ ବ୍ୟବହାର କରିବା କଥା ଯେତିକି ଆଶ୍ଚର୍ଯ୍ୟକର ନୁହେଁ ତାଙ୍କର ଜଣେ ପ୍ରେମିକା ଅଛି ତାହା ମହିଳାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି କ୍ୟାପ୍ଟେନ ଅବଦୁଲ କହିଛନ୍ତି। ଅନ୍ୟପଟେ ଯୁବକ ଜଣଙ୍କ ବିବାହିତ ବୋଲି ପ୍ରେମିକାଙ୍କୁ ଜଣାନଥିଲା । କ୍ରେଡିଟ୍‌ କାର୍ଡରେ ଲେଣ ଦେଣ ହୋଇଥିବା ନେଇ ମହିଳାଙ୍କୁ ଜଣାପଡ଼ିବା ପରେ ସେ କାର୍ଡ ବ୍ଲକ୍ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ସମସ୍ତ ଘଟଣା ଉପରୁ ପରଦା ଉଠିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.