ମହିଳାଙ୍କୁ ଖରାପ ନଜର ପାଇଁ ବେକରେ ପଡ଼ିଲା ଜୋତାମାଳ, ଲୋକେ କରିଦେଲେ ଲଙ୍ଗଳା
28/12/2020 at 8:13 PM

ଜୟପୁର ୨୮/୧୨: ମହିଳାଙ୍କୁ ଦୁର୍ବ୍ୟହାର ଓ ଯୌନ ଶୋଷଣ କରି ଫସିଲେ ଯୁବକ। ଉଲଗ୍ନ କରି ଗାଁରେ ପରେଡ କରାଇଲେ ଗ୍ରାମବାସୀ। ୨୮ ବର୍ଷୀୟ ଅଭିଯୁକ୍ତ ଯୁବକଙ୍କୁ ପିଟିବା ସହ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲେ ଲୋକେ। ଏହି ଘଟଣା ରାଜସ୍ଥାନର ଝାଲାଓ୍ବାରରେ ଘଟିଛି। ସୋମାବାର ଏନେଇ ଅଭିଯୋଗ ପାଇବା ପରେ ପୋଲିସ ୮ ଜଣଙ୍କୁ ଗିରଫ ମଧ୍ୟ କରିଛି।
ମହିଳାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ରାକେଶ ରାଠୋରକୁ ବି ପୋଲିସ ଗିରଫ କରିଛି। ତା ବିରୋଧରେ ଘରକୁ ଅନଧିକାର ପ୍ରବେଶ ଓ ମହିଳାଙ୍କୁ ଯୌନ ଉତ୍ପୀଡ଼ନ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ତେବେ ମହିଳା ଜଣଙ୍କ ଏସ୍ଟି ସମ୍ପ୍ରଦାୟର ହୋଇଥିବା ମଧ୍ୟ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ସ୍ବାମୀ ରାକେଶ ରାଠୋର ଓ ମହିଳାଙ୍କୁ ଏକାସାଙ୍ଗରେ ଦେଖିଥିଲେ। ମହିଳାଙ୍କ ସ୍ବାମୀ ରାକେଶକୁ ଚେତାବନୀ ଦେଇ ଯିବାକୁ ଦେଇଥିଲେ। କିନ୍ତୁ ପରଦିନ ମହିଳାଙ୍କ ସ୍ବାମୀଙ୍କ ବନ୍ଧୁ ରାଠୋରକୁ ଫୋନ କରି ଡାକିବା ସହ ତାକୁ ପିଟିଥିଲେ। ଜୋତାମାଳ ପିନ୍ଧାଇ ତାକୁ ଲଙ୍ଗଳା କରି ପହନାଇ ଓ ବାଘେର ଗାଁରେ ବୁଲାଇଥିଲେ ବୋଲି ଜଣେ ପୋଲିସ କର୍ମଚାରୀ କହିଛନ୍ତି।
ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାକେଶ ଓ ମହିଳା ଦୁଇଜଣ କେନ୍ଦ୍ରୀୟ ଯୋଜନାରେ କାର୍ଯ୍ୟ କରୁଛନ୍ତି। ଦୁଇ ଜଣଙ୍କ ଭିତରେ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଗାଁ ଲୋକେ ହାତକୁ ଆଇନ୍ ନେବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ସମ୍ପୃକ୍ତ ୮ ଜଣଙ୍କୁ ପୋଲିସ ଗିରଫ କରିଛି।