ଜେଲରୁ ପାରୋଲରେ ଆସି ଭିଣୋଇକୁ ମାରିଦେଲା ଅଭିଯୁକ୍ତ : ପୂର୍ବରୁ କରିଥିଲା ଦୁଇ ଦୁଇଟି ହତ୍ୟା

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦/୬: ଦିଲ୍ଲୀର ଦରିୟାଗଞ୍ଜ ପୋଲିସ୍ ୯ମାସ ପୂର୍ବରୁ ହୋଇଥିବା ହତ୍ୟା ମାମଲାର ପର୍ଦ୍ଦାଫାଶ କରି ମୁଖ୍ୟ ଅଭିଯୁକ୍ତକୁ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରୁ ଗିରଫ କରିଛି। ଅଭିଯୁକ୍ତ ମୋହସିନକୁ ଦୁଇଟି ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିଲା। ସେ ପାରୋଲରେ ଜେଲରୁ ବାହାରି ଆସି ଦରିୟାଗଞ୍ଜରେ ଥିବା ନିଜ ଭିଣୋଇଙ୍କୁ ହତ୍ୟା କରିଛି।

ଗତ ବର୍ଷ ଅକ୍ଟୋବର ୬ତାରିଖରେ ଶାନ୍ତିବନ ଛକ ପାଖରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶବ ମିଳିଥିଲା। ଯୁବକଙ୍କୁ ଛୁରୀ ଭୁଷି ଏବଂ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟା ମାମଲାର ଯାଞ୍ଚ କରିବା ପାଇଁ ଏକ ପୋଲିସ୍ ଟିମ୍ ଗଠିତ ହୋଇଥିଲା। ପୋଲିସ୍ ଟିମ୍ ମୃତକଙ୍କ ଫଟୋକୁ ଆଖପାଖ ଅଞ୍ଚଳର ଲୋକଙ୍କୁ ଦେଖାଇବାରୁ ତାଙ୍କ ପରିଚୟ ଜଣା ପଡ଼ିଥିଲା। ମୃତକ ଥିଲେ ବାଗପତ ବାସିନ୍ଦା ୩୪ବର୍ଷ ବୟସ୍କ ମହମ୍ମଦ ନବି ସୈଫି। ସେ ଦରିୟାଗଞ୍ଜରେ ରିକ୍ସା ଚଲାଉଥିଲେ।

ସେ କିଛି ଦିନ ତଳେ ମହମ୍ମଦ ମହସିନ କୁରୈଶୀର ଇଚ୍ଛା ବିରୁଦ୍ଧରେ ତାର ଭଉଣୀ ସୋଫିୟାଙ୍କୁ ବିବାହ କରିଥିଲେ। କିଛି ଦିନ ପରେ ସୈଫି ନିଜ ପତ୍ନୀଙ୍କୁ ପିଟିବାକୁ ଲାଗିଥିଲେ,ଯାହା ପରଠୁ ସୋଫିୟା ବାପଘରେ ରହିଥିଲେ। ଘଟଣା ପରେ ମହସିନ ଫେରାର ହେବାରୁ ତା’ ଉପରେ ହତ୍ୟା ସନ୍ଦେହ ହୋଇଥିଲା। ଜୁନ୍ ୪ତାରିଖରେ ସେ ଖତୈାଲି ଅଞ୍ଚଳରେ ଥିବାର ସୂଚନା ପାଇ ପୋଲିସ୍ ଟିମ୍ ତାକୁ ଗିରଫ କରିଥିଲା।

ମହସିନ କୁରୈଶୀ ୨୦୦୯ମସିହାରେ ମିରଠ ବାସିନ୍ଦା ନିଜର ଜଣେ ସମ୍ପର୍କୀୟଙ୍କ ୧୦ବର୍ଷର ପୁଅକୁ ଅପହରଣ କରିଥିଲା। ଟଙ୍କା ନଦେବାରୁ ସେ ନାବାଳକକୁ ହତ୍ୟା କରି ଦେଇଥିଲା। ୨୦୧୩ମସିହାରେ ସେ ଭୋପାଳ ଯାଇ ନିଜ ପତ୍ନୀଙ୍କ ହତ୍ୟା କରିଥିଲା। ଦୁଇଟି ମାମଲାରେ ତାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଥିଲା। ଫେବୃୟାରୀ ମାସରେ ତାର ଭାଇଙ୍କ ପରଲୋକ ହୋଇଥିଲା,ଯେଉଁଥିପାଇଁ ତାକୁ ୟୁପି ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରୁ ପାରୋଲ୍ ମିଳିଥିଲା। କିନ୍ତୁ ସେ ପାରୋଲ୍ ଜମ୍ପ୍ କରି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.