ରେଳ ଷ୍ଟେସନ ପ୍ଲାଟଫର୍ମରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ବ୍ୟକ୍ତିଙ୍କ ମୃତ୍ୟୁ, ରହିଥିଲା ମୁଣ୍ଡରେ ଗଭୀର କ୍ଷତ

Published By : Prameya-News7 Bureau | June 30, 2021 IST

ବଡବିଲ ୩୦।୬: ଯୋଡ଼ା ବାଂଶପାଣି ରେଳ ଷ୍ଟେସନ ପ୍ଲାଟଫର୍ମରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ବ୍ୟକ୍ତିଙ୍କ ମୃତ୍ୟୁ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ, ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଭୋର ୪ଟା ସମୟରେ ବାଂଶପାଣି ରେଳ ଷ୍ଟେସନ ପ୍ଲାଟଫର୍ମର ଏକ ବେଞ୍ଚ ଉପରେ ଏହି ବ୍ୟକ୍ତି ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ ।  ପ୍ରଥମେ  ସେଠାରେ ଡ୍ୟୁଟିରେ ଥିବା ଜଣେ  ଆରପିଏଫ ଯବାନ ଏହା ଦେଖିଥିଲେ ।  ଏନେଇ ସେ ଷ୍ଟେସନ ମ୍ୟାନେଜରଙ୍କୁ ଅବଗତ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଯୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା ।

ମୃତକଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିବା କାରଣରୁ ତାଙ୍କର ଏଭଳି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।  ଘଟଣା ସମ୍ପର୍କରେ ଯୋଡ଼ା ପୋଲିସକୁ ଖବର ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ, ଏହି ବ୍ୟକ୍ତି ଜଣଙ୍କ କିଏ ଏବଂ  କେଉଁ ପରିସ୍ଥିତିରେ ତାଙ୍କର ଏଭଳି ମୃତ୍ୟୁ ଘଟିଲା, ତାହା ତଦନ୍ତ ପରେହିଁ ସ୍ପଷ୍ଟ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.