କ୍ବାରେଣ୍ଟାଇନ୍ ସେଣ୍ଟରରେ ଗଲା ୫୭ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ, କ୍ୟାନ୍ସର ରୋଗରେ ଥିଲେ ପୀଡିତ
21/05/2020 at 3:52 PM

ଗଜପତି ୨୧।୫: ଗଜପତି ଜିଲ୍ଲା କାଶୀନାଗର ବ୍ଲକ୍ ଅଲଡା ଆଦର୍ଶ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ୫୭ ବର୍ଷ । ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ଗୁରୁବାର ଭୋର ୪ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେଲା ମୃତକ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ପୂର୍ବରୁ ସେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାପରେ ତାଙ୍କ ପୁଅଙ୍କ ପାଖରେ ଆନ୍ଧ୍ରପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲ୍ଲାର ରେଲିଂଗ ଗ୍ରାମରେ ରହୁଥିଲେ । ସେଠାରେ ଗ୍ରାମବାସୀ ବିରୋଧ କରିବା ପରେ ନିଜ ଗାଁ କାଶୀନାଗର ବ୍ଲକ୍ ହରିପୁର ଫେରିଥିଲେ । କିନ୍ତୁ ନିଜ ଗ୍ରାମରେ ମଧ୍ୟ ଲୋକଙ୍କ ବିରୋଧ କରିବାରୁ ଗାଁ ନିକଟ ସଂଗରୋଧ କେନ୍ଦ୍ରରେ ନିଜ ପତ୍ନୀଙ୍କ ସହ ରହୁଥିଲେ ।
ଦୁର୍ଭାଗ୍ୟ ବଶତଃ ଆଜି ଭୋର ୪ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେଠାରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଶବ ଉଦ୍ଧାର କରିବା ସହ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ ।