କନିଆଁ ବଦଳରେ ରୁଟି ବେଲୁଥିବା ମହିଳାଙ୍କୁ ବିବାହ କରିଦେଲେ ଯୁବକ, ଠକାମିର ହେଲେ ଶିକାର, ଠକିଦେଲା ମଧ୍ୟସ୍ଥି

Published By : Prameya-News7 Bureau | December 25, 2020 IST

ଜୟପୁର, ୨୫୧୨ରାଜସ୍ଥାନର ଯୋଧପୁରରେ ଏକ ଫିଲ୍ମ ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହ କରି ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି । ଏହା ସେତେବେଳେ ଜଣା ପଡିଲା ଯେବେ ମହିଳାଜଣଙ୍କ ୪ ଦିନ ପରେ ବରକୁ ସତ ଜଣାଇଥିଲେ । ନବବଧୂ ଜଣଙ୍କ ନିଜ ବାପଘରକୁ ଯାଇ ଫୋନଯୋଗେ ବରକୁ ଠକାମିର ଶିକାର ହୋଇଥିବା କହିଥିଲେ । ଏପରିକି ସେ ବିବାହରେ ରୁଚି ବେଲିବାକୁ ଆସିଥିଲେ କିନ୍ତୁ ତାଙ୍କୁ ଧମକ ଦେଇ ବିବାହ କରିଦିଆଗଲା ବୋଲି ସେ କହିଥିଲେ ।

ଏହାସବୁ ଶୁଣି ବର ଉମେଦ ସିଂଙ୍କ ହୋସ୍ ଉଡିଯାଇଥିଲା । କାରଣ ଯୁବକଜଣଙ୍କ ୧୦ ଲକ୍ଷ ଟଙ୍କା ଲୋନ୍ ନେଇ ବିବାହ କରିଥିଲେ । ଏବେ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଧାରା ୪୨୦, ୪୦୬ରେ ମାମଲା ରୁଜୁ କରିଛି ।

ସୂଚନାନୁସାରେ, ଡିସେମ୍ବର ୫ରେ ଉମେଦ ସିଂ ଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ମଧ୍ୟସ୍ଥି ଗଙ୍ଗା ସିଂ ଓ ନାଗୋରର କିଛି ଲୋକ ଆସିଥିଲେ । ଗଙ୍ଗା ତାଙ୍କର ଜଣେ ସମ୍ପର୍କୀୟ ଯୁବତୀଙ୍କ କଥା କହିଥିଲେ । ପରେ ଉମେଦଙ୍କ ମାମୁ ଓ ଭାଇ ଝିଅ ଦେଖିବାକୁ ନାଗୋର ଯାଇଥିଲେ । ଏହାପରେ ସେ କନ୍ୟା ପିଙ୍କୁ କବରଙ୍କ ହାତରେ ୫୦୦ ଟଙ୍କା ଦେଇ ବିବାହ ଧାର୍ଯ୍ୟ କରିଥିଲେ ।

ଏହାପରେ ଗଙ୍ଗା କହିଥିଲେ ଯେ, ଯୁବତୀଙ୍କ ପିତାଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ପରେ ଉମେଦ ଏହା ଶୁଣି ୪ ଲକ୍ଷ ଟଙ୍କା ଦେଇଥିଲେ । ଏହାପରେ ଡିସେମ୍ବର ୧୧ରେ ବିବାହ ସ୍ଥିର ହୋଇଥିଲା । ଗଙ୍ଗା ଉମେଦଙ୍କୁ ବରଯାତ୍ରୀ ନେଇ ନାଗୋର ଆସିବାକୁ କହିଥିଲେ । ଏହାସହ ବିବାହ ବାବଦରେ କାହାକୁ ନ ଜଣାଇବାକୁ ଗଙ୍ଗା କହିଥିଲେ । ଡିସେମ୍ବର ୧୧ରେ ଉମେଦ ବରଯାତ୍ରୀ ନେଇ ନାଗୋର ଯାଇଥିଲେ । ସେଠାରେ ଗଙ୍ଗା ବାହାନା କରିବା ଆରମ୍ଭ କରିଦେଇଥିଲେ । କନ୍ୟା ପରିବାରର କାହାର ଦେହାନ୍ତ ହୋଇଥିବା ଗଙ୍ଗା ଉମେଦଙ୍କୁ କହିଥିଲେ । ଏହାପରେ ବିବାହ ବିଳମ୍ବିତ ହୋଇଥିଲା । କିନ୍ତୁ ପରେ ଯଥା ରୀତିନୀତିରେ ବିବାହ ହୋଇଥିଲା । ଉମେଦ ବିବହ କରି କନ୍ୟା ନେଇ ଘରକୁ ଆସିଥିଲେ । ଦେଖିଥିବା ଝିଅ ଓ ବିବାହ ହୋଇଥିବା ଝିଅ ଅଲଗା ହୋଇଥିଲେ ବି ଉମେଦ ଶାନ୍ତ ରହିଥିଲେ ।

ବିବାହର ୪ ଦିନ ପରେ କନ୍ୟା ନିଜ ବାପାଘରକୁ ଯାଇଥିଲେ । ସେଠାରୁ ସେ ଉମେଦଙ୍କୁ ଫୋନ କରି ଯାହା କହିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ନବବଧୂ କହିଥିଲେ ଯେ, ତାଙ୍କ ନାମ କାନ୍ତା । ସେ ବିବାହରେ ରୁଟି ବେଲିବାକୁ ଆସିଥିଲେ । କିନ୍ତୁ ତାଙ୍କୁ ଧମକ ଦେଇ କନିଆଁ ସଜାଇ ଦିଆଯାଇଥିଲା । ତାଙ୍କୁ ଏକ ହଜାର ଟଙ୍କା ଦୈନିକ ରୁଟି ବେଲିବାକୁ ମିଳୁଥିଲା । ଧମକ ଦେବା ପରେ ସେ ଭୟରେ ବିବାହ କରିଥିବା କହିଥିଲେ ।

ଏହି ମାମଲାରେ ପୀଡିତ ଉମେଦ ସିଂ ମଧ୍ୟସ୍ଥି ଗଙ୍ଗା ସିଂଙ୍କ ବିରୋଧରେ ଯୋଧପୁର ମତୋଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.