ରାସ୍ତାରେ ଯୁବତୀଙ୍କୁ ଅଟକାଇ ମାଗୁଥିଲେ ଫୋନ୍ ନମ୍ବର, ସ୍ଥାନୀୟ ଲୋକେ ଧରିଲେ, ଚପଲରେ ପିଟିଲେ

Published By : Prameya-News7 Bureau | January 16, 2021 IST

ଜୟପୁର,୧୬/୦୧:  ରାଜସ୍ଥାନର ଧୋଲପୁର ଜିଲ୍ଲାର ନିହାଲଗଞ୍ଜ ଥାନା ଅଞ୍ଚଳରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ବୟସ୍କା ମହିଳା କିଛି ଲୋକଙ୍କ ସହ ମିଶି ରାସ୍ତାରେ ଜଣେ ଯୁବକଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ, ଯୁବକଜଣଙ୍କ ମହିଳାଙ୍କ ସହ ଥିବା ଯୁବତୀଙ୍କୁ ନମ୍ବର ମାଗି ନିଜର ମୋବାଇଲ ନମ୍ବର ଦେଉଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ସଂପୃକ୍ତ ଯୁବକଙ୍କୁ ମାଡ ମାରିଥିଲେ । ଏହାସହ ଭିଡିଓକୁ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ପହଁଚି ଯୁବକଙ୍କୁ ଥାନାକୁ ଆଣିଥିଲା । ଜେରା ବେଳେ ୨୬ ବର୍ଷୀୟ ଯୁବକ ଜଣଙ୍କ କହିଥିଲେ । ସେ କରୋଲୀ ଜିଲ୍ଲାରେ ରୁହନ୍ତି । ସେ ଯେଉଁ ଯୁବତୀଙ୍କୁ ଫୋନ ନମ୍ବର ମାଗୁଥିଲେ କିଛି ମାସ ପୂର୍ବେ ତାଙ୍କର ସଂପୃକ୍ତ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା । କିନ୍ତୁ ସମ୍ପର୍କୀୟଙ୍କ କାରଣରୁ ଏହା ଭାଙ୍ଗି ଯାଇଥିଲା । ତେବେ ସେ ଯୁବତୀଙ୍କ ସହ ପୁଣି କଥା ହେବାକୁ ଚାହିଁଥିଲେ । ତେଣୁ ନମ୍ବର ମାଗିଥିଲେ । ହଠାତ ବଜାରରେ ସେ ଯୁବତୀଙ୍କୁ ଦେଖି ରାସ୍ତାରେ ଅଟକାଇ ନିଜ ନମ୍ବର ଦେଇ ତାଙ୍କ ନମ୍ବର ମାଗିଥିଲେ । କିନ୍ତୁ ଯୁବତୀଙ୍କ ସହ ଥିବା ବୟସ୍କା ମହିଳାଙ୍କୁ ଏହା ପସନ୍ଦ ଆସିନଥିଲା ।

ଏହି କଥାକୁ ନେଇ ବଜାରରେ ଗହଳି ଲାଗିଗଲା । ସ୍ଥାନୀୟ ଲୋକେ ଏକାଠି ହୋଇ ଯୁବକଙ୍କୁ ମାଡ ମାରିବା ଆରମ୍ଭ କରିଦେଇଥିଲେ । ଏପରିକି ଚପଲରେ ମଧ୍ୟ ମାଡ ମାରିଥିଲେ ।

ପୋଲିସ ଏଏସପି ମହେନ୍ଦ୍ର ସିଂଙ୍କ କହିବାନୁସାରେ, ଯୁବକଜଣଙ୍କ ଜଣେ ଯୁବତୀଙ୍କୁ ମୋବାଇଲ ନମ୍ବର ଦେଉଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ମାଡ ମାରିଥିଲେ । ପୋଲିସ ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଛି । ଘଟଣାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.