ଯୁବତୀଙ୍କୁ ଆକର୍ଷିତ କରିବାକୁ ୪୦ବର୍ଷୀୟ ବ୍ୟକ୍ତି ମାରିଲା ପେଚା ; ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | November 13, 2018 IST

ନୂଆଦିଲ୍ଲୀ ୧୩|୧୧: ଜଣେ ବିବାହିତ ବ୍ୟକ୍ତି ଜଣେ ମହିଳାଙ୍କୁ ଗୁଣି ଗାରେଡି କରି ଆକର୍ଷିତ କରିବା ପାଇଁ ପେଚାକୁ ମାରିଦେଇଛି । ପେଚାକୁ ଗୁଣି ଗାରେଡି କାମରେ ବ୍ୟବହାର କରିବା ପାଇଁ ଆଣିଥିଲେ ୪୦ବର୍ଷୀୟ କହ୍ନେୟା ଯିଏ କି ଜଣେ ଡ୍ରାଇଭର । ତାଙ୍କୁ ପୋଲିସ ଗିରଫ କରିଛି । ପେଚାର ମୃତଦେହ ତାଙ୍କ ଘର କୁଲର ଭିତରୁ ମିଳିଥିଲା । ସୂଚନା ଅନୁସାରେ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ କହ୍ନେୟା ଜଣେ ଯୁବତୀଙ୍କୁ ପସନ୍ଦ କରୁଥିଲେ । ମାତ୍ର ସେହି ଯୁବତୀ ଜଣଙ୍କ କହ୍ନେୟାଙ୍କୁ ପସନ୍ଦ କରୁନଥିଲେ । କହ୍ନେୟା ବିବାହିତ ଥିଲେ । ତାଙ୍କର ତିନୋଟି ପିଲା ମଧ୍ୟ ଅଛନ୍ତି । ତାଙ୍କ ପରିବାରଲୋକଙ୍କୁ କହ୍ନେୟାଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ଜଣାଥିଲା । ପେଚାର ମୃତଦେହ ପରୀକ୍ଷଣ ପରେ ଜଣାପଡିଥିଲା ଯେ, ଦେହରେ ଥିବା କେତେକ ଗଭୀର କ୍ଷତ କାରଣରୁ ପେଚାର ମୃତ୍ୟୁ ହୋଇଛି । ପେଚାର ପଞ୍ଜରାକୁ ଏକ ଧାରୁଆ ଛୁରୀରେ କଟା ଯାଇଥିଲା ଏବଂ କେତେକ ଛୁଞ୍ଚି ଫୁସଫୁସ ଏବଂ ଯକୃତରେ ଫୁଟାଯାଇଥିଲା । ଫଳରେ ଏଥିରୁ ଜଣାପଡୁଥିଲା ଯେ ଗୁଣି ଗାରେଡି କରିବା ପାଇଁ ପେଚାକୁ ଏଭଳି କରାଯାଇଥିଲା । ପଚରାଉଚରା କରାଯିବାରୁ ଅଭିଯୁକ୍ତ କହିଛି ଯେ, ୟୁଟ୍ୟୁବରୁ ସେ ଏକ ଭିଡିଓ ଦେଖିଥିଲା ଯେଉଁଥିରେ ବଳି ଏବଂ ଗୁଣି ଗାରେଡି କରିବା ସମ୍ବନ୍ଧରେ ବିସ୍ତାର ଭାବେ କୁହାଯାଇଥିଲା । ଏଥିରୁ ସେ ଜାଣିବାକୁ ପାଇଥିଲା ଯେ ପେଚାକୁ ବଳି ଦେଲେ ଜଣଙ୍କୁ ସହଜରେ ସମ୍ମୋହିତ କରିହେବ ବୋଲି । ଫଳରେ ସେ ଦିଲ୍ଲୀର ଏକ ଅଜ୍ଞାତ ସ୍ଥାନରୁ ପେଚାକୁ କିଣିଥିଲା । ଗୁଣି ଗାରେଡି କରିବା ପାଇଁ ସେ ପେଚାକୁ ବଳି ଦେଇଥିବା ସ୍ବୀକାର ମଧ୍ୟ କରିଛି । ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତ କହ୍ନେୟାକୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.