ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ
22/06/2018 at 5:53 AM

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ । ବାଲେଶ୍ବର ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବାଘମରା ଗାଁର ଘଟଣା । ଆକ୍ରମଣର ଶିକାର ବୃଦ୍ଧ ହେଉଛନ୍ତି ରାମ ସିଂ । ସେହି ଗାଁର ବୈଷ୍ଣବଙ୍କ ପୁଅର ଦୀର୍ଘ ଦିନ ହେବ ଦେହ ଭଲ ହେଉନଥିଲା । ରାମ ସିଂ ପୁଅକୁ ଗୁଣି କରୁଥିବା ସନ୍ଦେହ କରି ବୈଷ୍ଣବଙ୍କ ଭାଇ ଛୋଟରାମ ଓ ଶଳା ଜଟିଆ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏକ ଗାଡିରେ ତାଙ୍କୁ ଜବରଦସ୍ତ ନେଇ ପାଣିରେ ବୁଡାଇବା ପରେ ମୁଣ୍ଡକୁ ପଥରରେ ଆଘାତ କରିଛନ୍ତି । ପରେ ପାହାଡ ଉପରୁ ତଳକୁ ଫିଙ୍ଗିଦେବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକ ଅଟାକାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣର ପ୍ରତିବାଦ କରିବାରୁ ତାଙ୍କ ଝିଅକୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ରାମଙ୍କ ପୁଅ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।