ସ୍ତ୍ରୀକୁ ତଣ୍ଟିଚିପି ମାରିଦେଲା, ପାପ ଲୁଚାଇବାକୁ ମୃତଦେହକୁ ସ୍କୁଟରରେ ଧରି ୧୦ କିମି ବୁଲିଲା, ତା'ପରେ...

Published By : Prameya-News7 Bureau | November 02, 2020 IST

ଗାନ୍ଧୀନଗର, ୦୨୧୧ଗୁଜୁରାଟର ପାଲିତାନା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍କୁଟରରେ ୧୦ କିମି ମୃତଦେହକୁ ବୋହି ନେବା ଘଟଣା ଆଲୋଡନ ସୃଷ୍ଟି କରିଛି । ଦିନ ଦ୍ୱିପ୍ରହରରେ ବ୍ୟକ୍ତିଜଣଙ୍କ ପତ୍ନୀଙ୍କ ମୃତଦେହକୁ ଏପରି ସ୍କୁଟରରେ ବୋହିକରି ନେଇଥିଲେ ।

ପୋଲିସ ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ  କରିଛି । ଗିରଫ ବ୍ୟକ୍ତି ହେଲେ ୩୪ ବର୍ଷୀୟ ଅମିତ ହେମନାନି । ବ୍ୟକ୍ତିଜଣଙ୍କ ସ୍କୁଟରରେ ମୃତଦେହ ବୋହିବା ନେଇ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ସୂଚନାନୁସାରେ, ପାଲିତାନା ଜିଲ୍ଲାର ସିନ୍ଧି କ୍ୟାମ୍ପ କଲୋନୀରେ ଅମିତ ରୁହନ୍ତି । ରବିବାର ଅମିତ ଓ ତାଙ୍କ ପତ୍ନୀ ନୈନାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା ।  ଏହାପରେ ଉତକ୍ଷିପ୍ତ ହୋଇ ଅମିତ ନୈନାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ଉଭୟଙ୍କ ମଧ୍ୟରେ ଗତ ଏକ ବର୍ଷ ତଳେ ବିବାହ ହୋଇଥିଲା ।

ହତ୍ୟା କରିବା ପରେ ଅମିତ ନୈନାଙ୍କ ମୃତଦେହକୁ ସ୍କୁଟରର ସାମ୍ନାରେ ରଖି କେଉଁ ଆଡେ ଯାଉଥିଲେ । ଏପରି ଭାବେ ସେ ୧୦ କିମି ଯିବା ପରେ ଧରାପଡିଥିଲେ । କିଛି ଲୋକ ଏହା ଦେଖି ପାଟି କରିବା ସହ ଅମିତଙ୍କୁ ଅଟକାଇଥିଲେ । ଧରାପଡିବା ଭୟରେ ଅମିତ ଫେରାର ହେବାକୁ ମଧ୍ୟ ଚେଷ୍ଟା କରିଥିଲା । କିନ୍ତୁ ଲୋକେ ତାକୁ କାବୁ କରିବାରେ ସଫଳ ହୋଇଥିଲେ ।

ଜେରା ବେଳେ ଅମିତ କହିଛନ୍ତି ଯେ, ସେ ରୋହିଶାଳା ଜଙ୍ଗଲ ଅଞ୍ଚଳରେ ନୈନାଙ୍କ ମୃତଦେହକୁ ପୋତିବା ପାଇଁ ଯାଉଥିଲେ । କିନ୍ତୁ ଧରା ପଡିଯାଇଥିଲେ । ପାଲିତାନା ଥାନା ପୋଲିସ ଅଧିକାରୀ ଏନଏମ ଚୌଧରୀଙ୍କ କହିବାନୁସାରେ, ଗିରଫ ପରେ ଅମିତଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଏହେ ସେ ହାଜତରେ ଅଛନ୍ତି । ତେବେ କେଉଁ କାରଣରୁ ଅମିତ ନୈନାଙ୍କୁ ହତ୍ୟା କରିଛି ତାହା ଏଯାଏଁ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.