ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମରୁ ମିଳିଛି ୩୦.୮୦ କୋଟି ଟଙ୍କା- ଅନୁରାଗ ଠାକୁର

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରୁ ଏବେ ସୁଦ୍ଧା ୩୦.୮୦ କୋଟି ଟଙ୍କା ରାଜସ୍ବ ମିଳିଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ଏନେଇ ସୂଚନା ଦିଆଯାଇଛି। ୨୦୧୪ରୁ ଏବେ ଯାଏଁ ମୋଟ ୩୦.୮୦ କୋଟି ଟଙ୍କା ମିଳିଛି। କିନ୍ତୁ ୨୦୧୭-୧୮ରେ ସବୁଠୁ ଅଧିକ ୧୦.୬୪ କୋଟି ଟଙ୍କା ମିଳିଥିଲା। ‘ମନ କି ବାତ୍‌’ କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ରବିବାର ସକାଳ ୧୧ରେ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେଉଛି।

ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅନୁରାଗ ଠାକୁର କହିଛନ୍ତି, ପ୍ରସାର ଭାରତୀ ଦ୍ବାରା ଏବେ ସୁଦ୍ଧା ୭୮ ଏପିସୋଡ୍‌ ପ୍ରସାରିତ ହୋଇଛି। ରେଡିଓ ଏବଂ ଦୂରଦର୍ଶନ ବ୍ୟତୀତ ୯୧ଟି ଘରୋଇ ଟିଭି ଚ୍ୟାନେଲ୍‌ ଏବଂ ଡିଟିଏଚ ପ୍ଲାଟଫର୍ମରେ ମନ କି ବାତ ପ୍ରସାରଣ ହେଉଛି। ପ୍ରଥମ ବର୍ଷ ଅର୍ଥାତ ୨୦୧୪-୧୫ରେ ୧.୧୬ ରାଜସ୍ବ ମିଳିଥିବା ବେଳେ ୨୦୧୫-୧୬ରେ ୨.୮୧ କୋଟି, ୨୦୧୬-୧୭ରେ ୫.୧୪ କୋଟି ଟଙ୍କା ମିଳିଥିଲା। ସବୁଠୁ ଅଧିକ ୧୦.୬୪ କୋଟି ଟଙ୍କା ୨୦୧୭-୧୮ରେ ମିଳିଥିଲା।

ଏହା ପରେ ୨୦୧୮-୧୯ରେ ୭.୪୭ କୋଟି, ୨୦୧୯-୨୦ରେ ୨.୫୬ କୋଟି ଟଙ୍କା ମିଳିଥିବା ବେଳେ ୨୦୨୦-୨୧ରେ ଏବେ ସୁଦ୍ଧା ୧.୦୨ କୋଟି ଟଙ୍କା ମିଳିଥିବା ନେଇ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବାର୍କ ରେଟିଂ ଅନୁସାରେ ୨୦୧୮ରୁ ୨୦୨୦ ମଧ୍ୟରେ ମନ କି ବାତ କାର୍ଯ୍ରକ୍ରମର ଭିଉରସିପ୍‌ ୬ କୋଟିରୁ ୧୪.୩୫ କୋଟି ମଧ୍ୟରେ ଥିଲା ବୋଲି ଅନୁରାଗ ଠାକୁର କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.