Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୪୦୦ କିମି ଅତିକ୍ରମ କରି ଘରେ ପହଞ୍ଚିଥିଲା ପୁଅ, ମା କ୍ଵାରେଣ୍ଟାଇନ୍‌ରେ ରହିବାକୁ କହିବାରୁ କଲା ଆତ୍ମହତ୍ୟା

12/05/2020 at 8:49 PM

ନୂଆଦିଲ୍ଲୀ ୧୨।୦୫: କରୋନା ଭାଇରସ୍‌ର ସଙ୍କଟ ପୂରା ଦେଶରେ ଲାଗି ରହିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରି ସାରିଛି। କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌  ଜାରି ରହିଛି। ଫଳରେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଲୋକେ ଫସି ରହିଛନ୍ତି। ଏହା ମଧ୍ୟରେ ଝାରଖଣ୍ଡର ଗଢଓ୍ଵା ଜିଲ୍ଲାର ରୋଙ୍କାରୁ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା ଲକ୍‌ଡାଉନ୍‌ରେ  ଘରକୁ ଫେରିଥିବା ପୁଅକୁ ତାକୁ କ୍ଵାରେଣ୍ଟାଇନ୍‌ରେ ରହିବାକୁ କହିବାରୁ  ପୁଅ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି।

ମହାରାଷ୍ଟ୍ରରେ କାମ କରୁଥିବା ୧୯ ବର୍ଷୀୟ ଏହି ଯୁବକଙ୍କୁ ତାଙ୍କ ମା କରୋନା ଭୂତାଣୁ ସଂକ୍ରମଣର ପ୍ରକୋପ ଶୁଣିବା ପରେ ଘରକୁ ଫେରି ଆସିବାକୁ କହିଥିଲେ। ମାର କହିବା ଅନୁଯାୟୀ ପୁଅ କୌଣସି ପ୍ରକାରରେ ବହୁ ବାଧାବିଘ୍ନ ସମ୍ମୁଖୀନ ହୋଇ ଘରକୁ ପହଞ୍ଚିଥିଲା। ଘରେ ପହଞ୍ଚିବା ପରେ ଯେବେ ମା ପୁଅକୁ କ୍ଵାରେଣ୍ଟାଇନ୍‌ରେ ରହିବାକୁ କହିଲା ପୁଅ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ଉଠାଇଲା।

ଏହି ଯୁବକଙ୍କ ନାମ ମୁକେଶ କୁମାର। ମୁକେଶ ମହାରାଷ୍ଟ୍ରର ସୋଲାପୁରରୁ ପ୍ରାୟ ୧୪୦୦ କିମି ପଥ ଯାତ୍ରା କରିବା ପରେ ରାଙ୍କାରେ ସୋମବାର ଦ୍ଵିପ୍ରହର ପ୍ରାୟ ୧୨ଟାରେ ପହଞ୍ଚିଥିଲା। ଘରେ ପହଞ୍ଚିବା ପରେ ତାର ମାତା-ପିତା କ୍ଵାରେଣ୍ଟାଇନ୍‌ରେ ରହିବାକୁ କହିଥିଲେ। କିନ୍ତୁ ପୁଅ ମାନିନଥିଲା। ସେ ମାତା-ପିତାଙ୍କ କଥାର ଉତ୍ତର ଦେଇନଥିଲା।

କିଛି ସମୟ ପରେ ମୁକେଶ ନିଜ ମାଙ୍କୁ ଆଜି କଣ ରୋଷେଇ କରିଛୁ ପଚାରିଥିଲା। ମା କହିଥିଲେ ଭାତ ଓ ଆଳୁ ତରକାରୀ ହୋଇଛି। ଏହା ପରେ ମୁକେଶ ନିଜ ବ୍ୟାଗ୍‌ରେ ରଖିଥିବା ଏକ ବିସ୍କୁଟ ପ୍ୟାକେଟ୍‌ରୁ ବିସ୍କୁଟ୍ ଖାଇ ପାଣି ପିଇଥିଲା ଏବଂ ପୁଣି ନିଜର ବ୍ୟାଗ୍‌ ଧରି ଘରୁ ଚାଲିଗଲା।

ନିଜ ଗାମୁଛରେ ଲଗାଇଲା ଫାଶୀ

ଘରଠୁ କିଛି ଦୂରରେ ମୁକେଶ ଏକ ଗଛରେ ଗାମୁଛ ଜରିଆରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ପୁଅ ବହୁତ ସମୟ ପରେ ଘରକୁ ନ ଫେରିବାରୁ ମା ତାକୁ ଖୋଜିବା ଆରମ୍ଭ କରିଥିଲା। ଘରଠୁ କିଛି ଦୂରରେ ଏକ ଗଛରେ ପୁଅର ଝୁଲୁଥିବା ମୃତ ଶରୀର ଦେଖି ଚିତ୍କାର କରି ଉଠିଥିଲା। ମହିଳାଙ୍କ ଶବ୍ଦ ଶୁଣି ଗାଁ ଲୋକ ସେଠାରେ ପହଞ୍ଚି ଯାଇଥିଲେ। ଏହା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ଥାନା ଅଧିକାରୀ ମୃତ ଶରୀରକୁ ଗଛରୁ ଓହ୍ଲାଇ ଶବ ବ୍ୟବଚ୍ଛେଦ ଲାଗି ପଠାଇ ଦେଇଥିଲେ।

   Related Posts