୧୨ଟଙ୍କା ୪୦ପଇସା ପାଇଁ କେସ୍, କିନ୍ତୁ ନୋଟିସ୍ ଆସିଲା ୧୫ବର୍ଷ ପରେ… ତାହା ବି ତାରିଖ ଗଲା ପରେ

Published By : Prameya-News7 Bureau | December 26, 2019 IST

ନବରଙ୍ଗପୁର ୨୬।୧୨: ନବଙ୍ଗପୁରରେ ଏକ ଖାଉଟି ମାମଲାରେ ୧୫ବର୍ଷ ପରେ ଆସିଛି ନୋଟିସ୍ । ଧାର୍ଯ୍ୟ ସମୟର ଦୁଇ ଦିନ ପରେ ଉପଭୋକ୍ତାଙ୍କୁ ଏହି ନୋଟିସ୍ ମିଳିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ୧୨ ଟଙ୍କା ୪୦ପଇସା ପାଇଁ ହୋଇଥିବା ମାମଲାରେ ୧୫ବର୍ଷ ପରେ ଆସିଛି ନୋଟିସ୍ । ଏହି ଘଟଣା ଏବେ ନବରଙ୍ଗପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, ୨୦୦୩ ମସିହା ମେ’ ୧୬ତାରିଖରେ ନବରଙ୍ଗପୁରର ଜଣେ ଗାଡି ମାଲିକ ଏନ୍‌. ପରମେଶ୍ବରନ୍‌ ମାଝିଗୁଡ଼ା ସ୍ଥିତ ଏକ ଡିଜେଲ୍ ପମ୍ପରୁ ତାଙ୍କ ଜିପ୍‌ ରେ ୧୦ଲିଟର ଡିଜେଲ ଭରିଥିଲେ । ସେହିଦିନ ସରକାର ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୧୦ ପଇସା ଦର ହ୍ରାସ ନେଇ ଘୋଷଣା କରିଥିଲେ। ମାତ୍ର ପମ୍ପ୍ ମାଲିକ ପୁରୁଣା ଦର ଲିଟର ପିଛା ୨୨ ଟଙ୍କା ୯୬ ପଇସା ନେଇଥିଲେ । କିନ୍ତୁ ସେହିଦିନ ଅନ୍ୟ ଏକ ପମ୍ପରୁ ଲିଟର ପିଛା ସରକାର ହ୍ରାସ କରିଥିବା ଦରରେ ୨୧ଟଙ୍କା ୭୫ ପଇସାରେ ସେ ୨ ଲିଟର ଡିଜେଲ କ୍ରୟ କରିଥିଲେ । ମାଝିଗୁଡା ପମ୍ପ୍ ମାଲିକ ଅଧିକ ଟଙ୍କା ନେଇଥିବାରୁ ସେ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ମାତ୍ର କୌଣସି ସୁଫଳ ମିଳିନଥିଲା । ଶେଷରେ ନ୍ୟାୟ ପାଇଁ ସେ ନବରଙ୍ଗପୁର ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ।

ଖାଉଟି ଅଦାଲତ ଏହି ମାମଲାର ବିଚାର କରି ୨୦୦୩ରେ ଡିଜେଲ ପମ୍ପ୍ ମାଲିକଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ । ୫ହଜାର ଟଙ୍କା ସହ ମକୋଦ୍ଦମା ଖର୍ଚ୍ଚ ବାବଦକୁ ୧ ହଜାର ଟଙ୍କା ସମୁଦାୟ ୬ହଜାର ଟଙ୍କା ଉପଭୋକ୍ତା ପରମେଶ୍ବରନ୍‌ଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚାଲେଞ୍ଜ କରି ଡିଜେଲ ପମ୍ପ୍ ମାଲିକ ରାଜ୍ୟ ଖାଉଟି ଅଦାଲତରେ ୨୦୦୪ରେ ଅପିଲ୍‌ କରିଥିଲେ । ପମ୍ପ୍ ମାଲିକଙ୍କ ଅପିଲ୍‌କୁ ବିଚାର କରି ରାଜ୍ୟ ଖାଉଟି ଅଦାଲତ ଉପଭୋକ୍ତାଙ୍କୁ ୧୫ବର୍ଷ ପରେ ଅର୍ଥାତ୍ ୨୦୧୯ ଡିସେମ୍ବର ୨୦ ତାରିଖରେ ରାଜ୍ୟ ଖାଉଟି ଅଦାଲତ କଟକରେ ହାଜର ହେବାକୁ ନୋଟିସ୍‌ ଜାରି କରିଛନ୍ତି । ଏହି ନୋଟିସ୍‌ ଟି ହାଜର ତାରିଖ ଚାଲିଯିବା ପରେ ଅର୍ଥାତ୍ ଡିସେମ୍ବର ୨୩ ତାରିଖରେ ପରମେଶ୍ବରନ୍‌ଙ୍କ ନିକଟରେ ପହଞ୍ଚିଛି । ଯାହାକୁ ନେଇ ପରମେଶ୍ବରନ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.