୯ କିଲୋମିଟର ସାଇକେଲ ଚଲାଇ ପହଞ୍ଚାଇଲେ ଅର୍ଡର: ପାଣ୍ଠି ସଂଗ୍ରହ କରି ଜୋମାଟୋ ବଏଙ୍କୁ ବାଇକ ଉପହାର ଦେଲେ ମୁକେଶ

Published By : Prameya-News7 Bureau | June 22, 2021 IST

ହାଇଦ୍ରାବାଦ ୨୨/୦୬ : ହାଇଦ୍ରାବାଦର କିଙ୍ଗ କୋଟି ଅଞ୍ଚଳରେ ରହୁଥିବା ରବିନ୍ ମୁକେଶ ନାମକ ଜଣେ ଆଇଟି କର୍ମଚାରୀ ଜୁନ୍ ୧୪ ତାରିଖ ରାତି ପ୍ରାୟ ସାଢେ ୧୦ଟା ସମୟରେ ଜୋମାଟୋରେ ଖାଇବା ଅର୍ଡର ଦେଇଥିଲେ। ଏହି ଅର୍ଡର ଡେଲିଭର କରିବା ଦାୟିତ୍ୱ ମହମ୍ମଦ ଆକିଲ ଅହମ୍ମଦଙ୍କୁ ମିଳିଥିଲା। ପ୍ରାୟ ୨୦ ମିନିଟରେ ଅକିଲ ଅର୍ଡର ନେଇ ମୁକେଶଙ୍କ ପାଖରେ ପହଞ୍ଚିଥିଲେ।

ଯେତେବେଳେ ମୁକେଶ ପାର୍ସଲ ନେବାକୁ ଘରୁ ଓହ୍ଲାଇ ତଳକୁ ଆସିଥିଲେ, ସେ ଅକିଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଅକିଲ ସାଇକେଲ ଯୋଗେ ପାର୍ସଲ ଡେଲିଭରୀ କରିବାକୁ ଆସିଥିଲେ। ମୁକେଶ ଜାଣିବାକୁ ପାଇଲେ ଯେ ଅକିଲ ମାତ୍ର ୨୦ ମିନିଟରେ ୯ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି, ସେ ଏଥିପାଇଁ କେତେ ପରିଶ୍ରମ କରିଥିଲେ।

{"id":469583,"width":840,"height":472,"sizeSlug":"large","linkDestination":"none"}

ଅକିଲଙ୍କ କାହାଣୀରେ ପ୍ରଭାବିତ ହୋଇ ମୁକେଶ ତାଙ୍କର ଏକ ଫଟୋ ଉଠାଇ ଫେସବୁକ୍ ପୋଷ୍ଟ ଲେଖି ତାଙ୍କୁ ପ୍ରଶଂସା କରିଥିଲେ। ଅନେକ ଲୋକ ଏହି ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରି ଅକିଲଙ୍କୁ ଉତ୍ସାହିତ କରିଥିଲେ। କେହି କେହି ପରାମର୍ଶ ଦେଇଛନ୍ତି ଯେ ସେ ଅକିଲଙ୍କ ପାଇଁ କିଛି କରିବା ଉଚିତ୍। ଲୋକଙ୍କ ସକରାତ୍ମକ ପ୍ରତିକ୍ରିୟା ଦେଖି ମୁକେଶ ଅକିଲଙ୍କୁ ଏକ ବାଇକ୍ କିଣିଦେବାକୁ ନିଷ୍ପତ୍ତି ନେଇଥିଲେ।

ଏଥିପାଇଁ ମୁକେଶ ତାଙ୍କ ସହକର୍ମୀମାନଙ୍କ ସହ ମିଶି ଜୁନ୍ ୧୫ ରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ ଏବଂ ୧୦-୧୨ ଘଣ୍ଟା ମଧ୍ୟରେ ପ୍ରାୟ ୭୦ ହଜାର ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲେ। ମୁକେଶ ଏହି ଅଭିଯାନ ବନ୍ଦ କରିବାକୁ ନିଷ୍ପତ୍ତି ନେବା ବେଳକୁ ସେ ୭୩,୩୭୦ ଟଙ୍କା ସଂଗ୍ରହ ହୋଇସାରିଥିଲା। ଏହି ରାଶି ତାଙ୍କ ପ୍ରାରମ୍ଭିକ ଲକ୍ଷ୍ୟଠାରୁ ବହୁତ ଅଧିକ ଥିଲା। ସେଥିପାଇଁ ସେ ଅତିରିକ୍ତ ରାଶି ଅକିଲଙ୍କ କଲେଜ ଫି ପାଇଁ ଦେବାକୁ ନିଷ୍ପତ୍ତି ନେଇଥିଲେ।

{"id":469584,"sizeSlug":"large","linkDestination":"none"}

ଶେଷରେ ମୁକେଶ ନିଜ ସୋସିଆଲ ମିଡିଆ ସାଙ୍ଗମାନଙ୍କ ସହ ମିଶି ଅକିଲଙ୍କୁ ଏକ ବାଇକ୍ ଦେବାରେ ସଫଳ ହୋଇଥିଲେ। ମୁକେଶ ଜୁନ୍ ୧୮ରେ ଏହାର ଫଟୋ ଫେସବୁକରେ ସେୟାର କରିଥିଲେ। ସେ ଲେଖିଥିଲେ, 'ନମସ୍କାର ବନ୍ଧୁଗଣ, ପ୍ରତିଶ୍ରୁତି ଅନୁଯାୟୀ, ଅକିଲଙ୍କୁ ହେଲମେଟ, ରେନକୋଟ୍, ମାସ୍କ ପ୍ୟାକେଟ୍ ଏବଂ ସାନିଟାଇଜର ସହିତ ଟିଭିଏସ୍ ଏକ୍ସଏଲ୍ ବାଇକ୍ ର ଚାବି ହସ୍ତାନ୍ତର କରୁଛି। ଏହି ବାଇକର ମୂଲ୍ୟ ପ୍ରାୟ ୬୫ ହଜାର ଟଙ୍କା।

୨୧ ବର୍ଷିୟ ମହମ୍ମଦ ଅକିଲ ଅହମ୍ମଦ ତୃତୀୟ ବର୍ଷ ଇଞ୍ଜିନିୟରିଂ କରୁଛନ୍ତି। ଅକିଲଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ। ସେଥିପାଇଁ ସେ ଗତ ବର୍ଷେ ହେଲା ଜୋମାଟୋରେ କାମ କରୁଛନ୍ତି। ତାଙ୍କ ପାଖରେ ବାଇକ୍ ନ ଥିବାରୁ ସେ ନିଜ ସାଇକେଲରେ ଅର୍ଡର ପହଞ୍ଚାଉଥିଲେ ଏବଂ ଏଥିପାଇଁ କଠିନ ପରିଶ୍ରମ କରୁଥିଲେ। ବର୍ତ୍ତମାନ ମୁକେଶଙ୍କ ଯୋଗୁଁ ତାଙ୍କୁ ବାଇକ୍ ମିଳିଯାଇଛି। ବର୍ତ୍ତମାନ ସେ ବାଇକରେ ପାର୍ସଲ ଡେଲିଭର କରୁଛନ୍ତି। ତେବେ ବର୍ତ୍ତମାନ ବାଇକକୁ ନେଇ ଅକିଲ ବହୁତ ଖୁସି ଅଛନ୍ତି। ବାଇକ ପାଇଁ ସେ ମୁକେଶ ଏବଂ ସାହାଯ୍ୟ କରିଥିବା ଅନ୍ୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

{"id":469585,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.