ଆଉ ଜଣେ ଗାନ୍ଧାରୀ : ଅପରାଧୀ ପୁଅକୁ ଆଶ୍ରୟ ଦେଲେନି, ପୋଲିସକୁ ଧରାଇଦେଲେ

Published By : Prameya-News7 Bureau | June 07, 2020 IST

କେନ୍ଦୁଝର ୦୭।୦୬: ମହାଭାରତରେ ଗାନ୍ଧାରୀ ଏକ ଉକ୍ତି କହିଥିଲେ । ତାହା ହେଉଛି 'ଅକ୍ଷୟ ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ଜୟ' । ଯୁଦ୍ଧକୁ ଦୁର୍ଯୋଧନ ଯିବ ପୂର୍ବରୁ ମା ଗାନ୍ଧାରୀ ଏହା କହିଥିଲା । ଯାହାର ଅର୍ଥ ହେଉଛି କି, ସଂସାରରେ ଧର୍ମ ହେଉ ଜୟ । ଗାନ୍ଧାରୀଙ୍କ କଥା ଭଳି ଏକ ଘଟଣା ଘଟିଛି କେନ୍ଦୁଝର ଟାଉନଥାନା ସାମନ୍ତରାପୁରରେ । ଯାହାକି ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜନ୍ମକଲା ପୁଅର ଦୋଷକୁ ନଲୁଚାଇ ପୋଲିସର ଜିମା ଦେଇଛି ମା । ସାମାନ୍ୟ ବଚସାରୁ ଗାମୁଛାରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଥିଲା ସ୍ୱାମୀ । ହତ୍ୟା ପରେ ରହୁଥିବା ଭଡ଼ା ଘରର ଖଟ ତଳେ ମୃତଦେହକୁ ଲୁଚାଇ ଦେଇଥିଲା । ହେଲେ ଏ ଘଟଣା ଜାଣିବା ପରେ ନିଷ୍ଠୁର ପୁଅକୁ ପୁଲିସ ଜିମା ଦେଇଛି ମା’ ।

ପଣ୍ଡାପଡ଼ା ଥାନା ହୁଣ୍ଡା ଗ୍ରାମର ବାବୁଲି ପ୍ରଧାନ (୨୫) ଗତ ଫେବ୍ରୁଆରୀ ମାସରେ ସଦର ଥାନା ଉପର ରାଇଗୋଡା ପଞ୍ଚାୟତ କମଗାଁ ଗ୍ରାମର ପଞ୍ଚମୀ ପ୍ରଧାନ(ଦେହୁରୀ)(୨୦ ବର୍ଷ)ଙ୍କୁ ୨ୟ ବିବାହ କରିଥିଲେ । ବିବାହ ପରେ ବାବୁଲିଙ୍କ ମା’ ଟିକିନାଙ୍କ ସହିତ ସ୍ୱାମୀ ସ୍ତ୍ରୀ କେନ୍ଦୁଝର ଟାଉନ୍‌ ଥାନା ସାମନ୍ତରାପୁର ଅଞ୍ଚଳର ହୃଷିକେଶ ମିଶ୍ରଙ୍କ ଘରେ ଭଡ଼ାରେ ରହୁଥିଲେ । ବାବୁଲି କେନ୍ଦୁଝର ସହରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ବାବୁଲିଙ୍କ ମା’ ଟିକିନା ମଧ୍ୟ ମୂଲ ମଜୁରି କରୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ଟିକିନା ମୂଲ ମଜୁରି କରି ଘରକୁ ଫେରିଥିବାବେଳେ ଘରେ ବୋହୂକୁ ନଦେଖି ବାବୁଲିକୁ ପଚାରିଥିଲେ । ସେ କେଉଁଆଡ଼େ ଯାଇଛି ମୁୁଁ ଜାଣି ନାହିଁ ବୋଲି କହିଥିଲା ବାବୁଲି । ଦୀର୍ଘ ସମୟ ପର୍ଯ୍ୟନ୍ତ ପଞ୍ଚମୀ ଘରକୁ ନ ଫେରିବାରୁ ପୁଣିଥରେ ବାବୁଲିକୁ ପଚାରିବା ସହିତ ଖୋଜାଖୋଜି କରିଥିଲେ । ଖଟ ତଳେ ଗୁଡ଼ାଯାଇଥିବା ଅବସ୍ଥାରେ ପଞ୍ଚମୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ଟିକିନା ।

ବାବୁଲିଙ୍କୁ ଏ ସମ୍ବନ୍ଧରେ ପଚରାଉଚରା କରିବାରେ ଖାଇବା ପିଇବାକୁ ନେଇ ପଞ୍ଚମୀ ସହିତ ଝଗଡ଼ା ହୋଇଥିଲା ଏବଂ ଗାମୁଛାରେ ତା ତଣ୍ଟି ଚିପି ହତ୍ୟା କରିଥିବା ମା’ ଆଗରେ କହିଥିଲା । ବାବୁଲି ନିଶାସକ୍ତ ଅବସ୍ଥାରେ ଥିଲା ଏବଂ ତା ଠାରୁ ଏକଥା ଶୁଣିବା ପରେ ତାକୁ ନେଇ ଟାଉନ ଥାନା ପୁଲିସର ଜିମା ଦେଇଥିଲେ ଟିକିନା । ଶନିବାର ସକାଳୁ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପଞ୍ଚମୀଙ୍କ ପରିବାର ଲୋକେ ମଧ୍ୟ ସାମନ୍ତରାପୁର ପହଞ୍ଚିଥିଲେ । ପଞ୍ଚମୀଙ୍କ ପରିବାର ଲୋକଙ୍କ କହିବା ମୁତାବକ, ୪ ମାସ ତଳେ ବାବୁଲିଙ୍କ ସହିତ ପଞ୍ଚମୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ପଞ୍ଚମୀ ଗର୍ଭବତୀ ଥିଲେ ବୋଲି ୨ ମାସ ତଳେ ମା’ ଆତଲ ଦେହୁରୀଙ୍କୁ ଜଣାଇଥିଲେ ।

ପଞ୍ଚମୀଙ୍କ ଭାଇ ରମେଶ ଦେହୁରୀ ଟାଉନ୍‌ ଥାନାରେ ଏ ସମ୍ବନ୍ଧରେ ଲିଖିତ ଅଭିଯୋଗ କଲା ପରେ ପୁଲିସ୍‌ ଛାନଭିନ ଆରମ୍ଭ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟାଉନ ପୁଲିସ ପକ୍ଷରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଯାଇଥିବାବେଳେ ଟାଉନ୍‌ ଥାନାରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବାବୁଲିକୁ ଅଟକ ରଖାଯାଇଛି । ବିବାହ ସମୟରେ ପଞ୍ଚମୀଙ୍କୁ ଦିଆଯାଇଥିବା ସମସ୍ତ ଆସବାବପତ୍ର ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.