ଚନ୍ଦ୍ରପୃଷ୍ଠରେ ଜାଗା କିଣିଲେ ସ୍ବାମୀ, ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ଦେଲେ ଉପହାର

Published By : Prameya-News7 Bureau | December 27, 2020 IST

ଜୟପୁର ୨୭।୧୨: ପ୍ରେମରେ ପଡିଲେ ଅଧିକାଂଶ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଚାନ୍ଦ-ତାରା ତୋଳି ଆଣି ଦେବାକୁ କହିଥାନ୍ତି । ହେଲେ ଏମିତି ବହୁତ କମ୍ ଲୋକ ଅଛନ୍ତି ଯିଏ ଏହାକୁ ସତରେ କରି ଦେଖାନ୍ତି । ସେମାନଙ୍କ ମଧ୍ୟରୁ ରାଜସ୍ଥାନ ଆଜମେରରେ ଧର୍ମେନ୍ଦ୍ର ଆନିଜା ହେଉଛନ୍ତି ଜଣେ । ଧର୍ମେନ୍ଦ୍ର ତାଙ୍କ ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ଚାନ୍ଦ ତ ଆଣି ଦେଇପାରିନାହାନ୍ତି ବରଂ ଚନ୍ଦ୍ରପୃଷ୍ଠରେ ୩ ଏକର ଜାଗା କିଣି ଉପହାର ସ୍ବରୂପ ଦେଇଛନ୍ତି । ବିବାହ ବାର୍ଷିକୀରେ ସ୍ତ୍ରୀ ସ୍ବପ୍ନା ଆନିଜାଙ୍କ ପାଇଁ କିଛି ଖାସ୍ କରିବାକୁ ସେ ମନ ବଳାଇଥିଲେ । ଏହାକୁ ସତରେ କରିବାକୁ ଯାଇ ସେ ତାଙ୍କ ପାଇଁ ଚନ୍ଦ୍ରପୃଷ୍ଠରେ ଜାଗା କିଣିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ୨୪ ଡିସେମ୍ବରରେ ତାଙ୍କ ବିବାହ ବାର୍ଷିକୀ ଥିଲା । ସେ ତାଙ୍କ ସ୍ତ୍ରୀଙ୍କ ପାଇଁ କିଛି ଖାସ୍ କରିବାକୁ ଚାହୁଁଥିଲେ । ପ୍ରାୟ ସମସ୍ତେ କାର୍, ଗହଣା ଭଳି ଉପହାର ସ୍ତ୍ରୀମାନଙ୍କୁ ଦେଇଥାନ୍ତି । ମାତ୍ର ସେ କିଛି ଭିନ୍ନ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ଚନ୍ଦ୍ରପୃଷ୍ଠରେ ଜାଗା କିଣିଦେଇଛନ୍ତି । ଧର୍ମେନ୍ଦ୍ର ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ମାଧ୍ୟମରେ ଚନ୍ଦ୍ରପୃଷ୍ଠରେ ଜାଗା କିଣିଛନ୍ତି । ଜାଗା କିଣିବାର ସମସ୍ତ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ବର୍ଷେ ସମୟ ଲାଗିଥିଲା ।

ଧର୍ମେନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ବହୁତ ଖୁସି ଅଛି । ମୋତେ ଲାଗୁଛି ମୁଁ ରାଜସ୍ଥାନର ପ୍ରଥମ ବ୍ୟକ୍ତି ଯିଏକି ଚନ୍ଦ୍ରପୃଷ୍ଠରେ ଜାଗା କିଣିଛି ।’ ତାଙ୍କ ପତ୍ନୀ ସ୍ବପ୍ନା କହିଥିଲେ ଯେ, ତାଙ୍କୁ ଏଭଳି କିଛି ଉପହାର ମିଳିବ ବୋଲି ସେ କେବେ ଭାବିନଥିଲେ । ସେ କହିଥିଲେ, ‘ମୁଁ ବହୁତ ଖୁସି । ଆଶା କରିନଥିଲି ସେ ମୋତେ ଏଭଳି କିଛି ଉପହାର ଦେବେ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.