ମଧ୍ୟପ୍ରଦେଶରେ ଧକ୍କା ଦେଲା ଟ୍ରେନ୍, ଦୁଇ ସପ୍ତାହ ପରେ ବେଙ୍ଗାଲୁରୁରୁ ମିଳିଲା ମୁଣ୍ଡ
16/10/2020 at 9:09 PM

ଭୋପାଳ ୧୬/୧୦: ରେଳ ଦୁର୍ଘଟଣା କଥା ଶୁଣିଲେ ଛାତି ଥରିଉଠେ। ଲୌହ ଦାନବର ଧକ୍କାରେ ବେଳେ ବେଳେ ମୃତଦେହ ମିଳିବା ମୁସ୍କିଲ୍ ହୋଇଯାଏ। ସେମିତି ଏକ ରେଳ ଦୁର୍ଘଟଣାର ଖବର ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି। ଦୁର୍ଘଟଣାର ଦୁଇ ସପ୍ତାହ ପରେ ମିଳିଲା ମୃତକଙ୍କ ମୁଣ୍ଡ। ମଧ୍ୟପ୍ରଦେଶର ବିଟଲ୍ରୁ ଦୁଇ ସପ୍ତାହ ପୂର୍ବରୁ ଗଣ୍ଡି ଉଦ୍ଧାର କରାଯାଇଥିଲା। କିନ୍ତୁ ଦୁଇ ସପ୍ତାହ ଅର୍ଥାତ ୧୪ ଦିନ ପରେ ୧୩୦୦ କି.ମି ଦୂରରେ ଅବସ୍ଥିତ ବେଙ୍ଗାଲୁରୁରୁ ମୃତକଙ୍କ ମୁଣ୍ଡ ଉଦ୍ଧାର ହୋଇଛି। ତେବେ ମୃତଦେହର ଅବଶେଷ ରାଜଧାନୀ ଏକ୍ସପ୍ରେସ୍ ଘୋଷାରି ଆଣିଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଜଣେ ବ୍ୟକ୍ତିଙ୍କ ମୃତଦେହ (ଯାହାର ମୁଣ୍ଡ ସମେତ କିଛି ଅଂଶ ମିଳିନଥିଲା) ବିଟଲ୍ ଷ୍ଟେସନ୍ରୁ ଉଦ୍ଧାର କରିଥିଲା ରେଲ୍ଓ୍ବେ ପୋଲିସ୍। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ବ୍ୟକ୍ତି ଜଣଙ୍କ ଦିଲ୍ଲୀ-ବେଙ୍ଗାଲୁରୁ ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ପ୍ରାଣ ହରାଇଥିଲେ । ବିଟ୍ଲ୍ ଷ୍ଟେସନ୍ର ଜିଆରପି ହେଡ୍ କନଷ୍ଟେବଲ୍ ବେଦପ୍ରକାଶ କହିଛନ୍ତି, ଦୁର୍ଘଟଣା ପରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ସେଥିରେ ମୁଣ୍ଡ ନଥିବା ଜଣାପଡ଼ିଥିଲା।
ଅକ୍ଟୋପର ୪ ତାରିଖରେ ବେଙ୍ଗାଲୁରୁ ରେଳ ଷ୍ଟାଫ୍ ମୃତକଙ୍କ ମୁଣ୍ଡକୁ ରାଜଧାନୀ ଏକ୍ସପ୍ରେସ୍ର ଇଞ୍ଜିନ୍ ପାଖରୁ ଉଦ୍ଧାର କରିଥିଲେ। ପରେ ଏହାର ଫଟୋ ଜାରି କରି ପରିଚୟ ଜାଣିବାକୁ ଚାହିଁଥିଲେ। ପରେ ଜଣାପଡ଼ିଲା ବିଟ୍ଲ୍ ଷ୍ଟେସ୍ନରୁ ଗୋଟିଏ ମୁଣ୍ଡବିହୀନ ମୃତଦେହ ମିଳିଛି। ପରେ ବିଟ୍ଲ୍ ଜିଆରପି ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା। ମୃତକ ବିଟ୍ଲର ବାସିନ୍ଦା ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ପରିବାର ଲୋକ ମଧ୍ୟ ଫଟୋ ଦେଖି ଚିହ୍ନିଥିଲେ। କିନ୍ତୁ ଟଙ୍କା ଅଭାବରୁ ବେଙ୍ଗାଲୁରୁ ଆସି ମୃତଦେହ ନେବା ସମ୍ଭବ ହୋଇନଥିଲା। ସେପଟେ ପୋଲିସ ମାମଲାର ତଦନ୍ତ କରୁଛି। କିନ୍ତୁ ବ୍ୟକ୍ତି ଜଣଙ୍କ ଦୁର୍ଘଟଣାରେ ଶିକାର ହୋଇଛନ୍ତି ନା ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ବୋଲି ବେଦପ୍ରକାଶ କହିଛନ୍ତି।