ଦୁଷ୍କର୍ମ ମାମଲାରୁ ବର୍ତ୍ତିବା ପାଇଁ କୋର୍ଟରେ ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିଥିଲା ଅଭିଯୁକ୍ତ, ଏବେ ଜେଲ୍ରେ କଟିବ ଜୀବନ
12/01/2021 at 10:03 PM

ମୁମ୍ବାଇ ୧୨/୦୧: ୩ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିବା ମାମଲାରେ ଜଣେ ଅଭିଯୁକ୍ତକୁ ୭ ବର୍ଷ ଜେଲ୍ ଦଣ୍ଡ ଓ ୧୦ ହଜାର ଜରିମାନା ଶୁଣାଇଛନ୍ତି ମୁମ୍ବାଇ ସେସନ କୋର୍ଟ। ଦୁଷ୍କର୍ମ ମାମଲାରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ନିଜର ଡେଥ୍ ସାର୍ଟିଫିକେଟ୍ କୋର୍ଟରେ ଦେଇଥିଲା। କିନ୍ତୁ ପୋଲିସ ତାକୁ ଖୋଜି ବାହାର କରିବା ସହ କୋର୍ଟରେ ହାଜର କରାଇଥିଲା।
୨୦୧୫ରେ ବିଦ୍ୟାମଣି ବିଶ୍ବକର୍ମା ନାମକ ଜଣେ ଯୁବକ ପଡ଼ୋଶୀରେ ଥିବା ଜଣେ କୁନି ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଝିଅଟି କାନ୍ଦିବାରୁ ତାର ମା ଆସିଯାଇଥିଲେ। ଫଳରେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସିଯାଇଥିଲା। ପରେ ଥାନାରେ ଏତଲା ଦିଆଯାଇଥିଲା । କୋର୍ଟରେ ଅଭିଯୁକ୍ତକୁ ଚିହ୍ନଟ କରିଥିଲା କୁନି ଝିଅ।
ଝିଅ ଓ ମାଙ୍କ ବୟାନ ଶୁଣିବା ପରେ କୋର୍ଟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ କହିଥିଲେ। ପରେ ଦୋଷୀକୁ ଗିରଫ କରି ଡିଏନଏ ଟେଷ୍ଟ କରାଯାଇଥିଲା। ପରେ ବିଶ୍ବକର୍ମାକୁ ଜାମିନ ମିଳିଥିଲା। ଜାମିନ ମିଳିବା ପରେ ସେ ଫେରାର ହୋଇଯାଇଥିଲା। ଏହା ପରେ ବିଶ୍ବକର୍ମାର ଓକିଲ ତାର ମୃତ୍ୟୁ ପ୍ରମାଣପତ୍ର କୋର୍ଟରେ ଦେଇ ମାମଲା ସମାପ୍ତ କରିବାକୁ ଦାବି କରିଥିଲେ। କିନ୍ତୁ ପୋଲିସକୁ ସନ୍ଦେହ ହେବାରୁ ଛାନଭିନ୍ କରି ଉତ୍ତରପ୍ରଦେଶରୁ ବିଶ୍ବକର୍ମାକୁ ଗିରଫ କରିଥିଲା।