ବର୍ଷେ ପୂର୍ବରୁ ହ୍ରଦରେ ପଡିଯାଇଥିଲା ଆଇଫୋନ୍: ମରୁଡି ପଡିବା ପରେ ଠିକ୍ ଅବସ୍ଥାରେ ମିଳିଲା ଫୋନ୍

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯/୦୪ : ତାଇୱାନରେ ବହୁ ଦିନ ଧରି ମରୁଡି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। କିନ୍ତୁ କେବେ କିଏ ଭାବି ନଥିବେ ଯେ ମରୁଡି ଯୋଗୁଁ  କାହାର ଲାଭ ବି ହୋଇପାରିବ। ଏହି ମରୁଡି କାହାର ଖୁସିର କାରଣ ପାଲଟିବ। ତାଇୱାନର ସନ୍ ମୁନ୍ ହ୍ରଦ ବହୁ ଦିନ ଧରି ଶୁଖି ଯାଇଛି ଯେଉଁଥିପାଇଁ ସମସ୍ତେ ଚିନ୍ତିତ। କିନ୍ତୁ ଏହି ଶୁଖିଲା ହ୍ରଦ ଜଣକ ପାଇଁ ଗୁଡ଼ ଲକ ପ୍ରମାଣିତ ହୋଇଛି।

ଚେନ୍ ନାମକ ଜଣେ ବ୍ୟକ୍ତି ବର୍ଷେ ପୂର୍ବରୁ ସନ୍ ମୁନ୍ ହ୍ରଦରେ ପ୍ୟାଡଲବୋଡିଙ୍ଗ କରିବା ସମୟରେ ତାଙ୍କ ଆଇଫୋନ ହ୍ରଦରେ ପଡିଯାଇଥିଲା। କିନ୍ତୁ ତାପରେ ବର୍ଷା ନ ହେବା ଯୋଗୁଁ ହ୍ରଦ ପାଣି ସମ୍ପୂର୍ଣ୍ଣ ଶୁଖିଗଲା | ପାଣି ଶୁଖିଯିବା ପରେ ଜଣେ କାର୍ଯ୍ୟକର୍ତ୍ତା ଚେନଙ୍କ ଫୋନ୍ ମାଟି ତଳୁ ପାଇଥିଲେ। ସେ ଚେନଙ୍କୁ ଯୋଗାଯୋଗ କରି ଫୋନ୍ ସମ୍ପର୍କରେ ସୂଚନା ଦେଇଥିଲେ। ଚେନ୍ ଆସି ନିଜ ଫୋନ୍ ନେଇଯାଇଥିଲେ। ତେବେ ଏଠାରେ ଆଶ୍ଚର୍ଯ୍ୟର କଥା ହେଲା ପାଣିରେ ପଡି ଏତେ ଦିନ ରହିବା ପରେ ବି ଫୋନ୍ ପୁରା ଠିକ୍ ଥିଲା।

ଫୋନ୍ ମିଳିବ ଖୁସିରେ ଚେନ ରବିବାର ଦିନ ଫେସବୁକରେ ନିଜ ଆଇଫୋନ୍ ୧୧ର ଫଟୋ ସେୟାର କରିଥିଲେ। ଫଟୋ ସେୟାର୍ କରି ସେ କହିଛନ୍ତି କିଭଳି ବର୍ଷେ ପୂର୍ବରୁ ତାଙ୍କ ଫୋନ୍ ହ୍ରଦରେ ପଡିଯାଇଥିଲା ଓ ସେ ପୁଣି ନିଜ ଫୋନ ପାଇଛନ୍ତି। ଚେନ୍ କହିଛନ୍ତି ତାଙ୍କ ଫୋନ ପୁରା କାମ କରୁଛି ଏବଂ ଚାର୍ଜ ବି ହେଉଛି।

ଚେନଙ୍କ ଫେସବୁକ୍ ପୋଷ୍ଟକୁ ୨୫ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଅନେକ ଲୋକ ଏହି ପୋଷ୍ଟକୁ ଲାଇକ୍ କରିଛନ୍ତି ଓ କମେଣ୍ଟ କରିଛନ୍ତି। ଗତ ବର୍ଷ ତାଇୱାନରେ ଝଡତୋଫାନ, ବର୍ଷା ନ ହେବାରୁ ମରୁଡି ସ୍ଥିତି ରହିଛି। ମଙ୍ଗଳବାର ଦିନ ତାଇୱାନର ଶିଳ୍ପାଞ୍ଚଳର ଅନେକ ଘରେ ପାଣି ବଣ୍ଟା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.