ଥାନାରେ ନିଜକୁ ନିଆଁ ଲଗାଇ ଫେସବୁକ୍ ଲାଇଭ କଲେ ଯୁବକ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | October 12, 2019 IST

ନୂଆଦିଲ୍ଲୀ ୧୨/୧୦: ଦିଲ୍ଲୀର ପ୍ରେମ ନଗର ଥାନାରେ ଗତକାଲି ଦ୍ବିପ୍ରହରେ ପୋଲିସର ଅତ୍ୟାଚାର ସହିନପାରି ୨୩ବର୍ଷ ବୟସ୍କ ଯୁବକ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇବା ସମୟରେ ସେ ଫେସବୁକ୍ ଲାଇଭ୍ କରୁଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ରେଫର କରାଯାଇଥିଲା। ଘଟଣା ବିଷୟରେ ମାଜିଷ୍ଟେଟଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା।

୨୩ବର୍ଷ ବୟସ୍କ ଆଶୁ ପ୍ରେମ ନଗରର ବାସିନ୍ଦା। ସେ ପ୍ରିଣ୍ଟରର କାମ କରନ୍ତି। ଦଶହରା ଦିନ ସେ ତାଙ୍କ ବାପାଙ୍କ ସହ କୌଣସି କାମରେ ବହାରକୁ ଯାଉଥିଲେ। ଏହି ସମୟରେ ଏହି ଅଞ୍ଚଳରେ ରହୁଥିବା ଅମନଦୀପ ଡବାସ ଏବଂ ହରଦୀପଙ୍କ ସହ ଆଶୁଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କର ମୋବାଇଲ ତଳେ ପଡ଼ିଯାଇଥିଲା ଏବଂ ଏହାର ସ୍କ୍ରିନ୍ ଭାଙ୍ଗିଯାଇଥିଲା। ଏହି କାରଣରୁ ହରଦୀପ ଏବଂ ଅମନଦୀପ ଉଭୟେ ମିଶି ଆଶୁଙ୍କୁ ପିଟିଥିଲେ।

ଆଶୁ ଘଟଣା ସମ୍ପର୍କରେ ଥାନାରେ ମାମଲା ରୁଜୁ କରିଥିଲେ। କିନ୍ତୁ ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଏଥିପାଇଁ ଆଶୁ ଚିନ୍ତାରେ ଥିଲେ। ଫଳରେ ଆଶୁ ଥାନାକୁ ଆସି ଗତକାଲି ନିଜ ଉପରେ କିରୋସିନି ଢ଼ାଳି ଦେଇଥିଲେ। ସେ କାର୍ଯ୍ୟରତ ଅଫିସରଙ୍କୁ ସନ୍ଦୀପ ନାମକ ପୋଲିସଙ୍କ ବିଷୟରେ ପଚାରିଥିଲେ କାରଣ ସନ୍ଦୀପଙ୍କୁ ଆଶୁଙ୍କ ମାମଲା ଯାଞ୍ଚ କରିବାର ଦାୟିତ୍ବ ଦିଆଯାଇଥିଲା। ଏହା ପରେ ଆଶୁ ଫେସବୁକ୍ ଲାଇଭ କରି ନିଜ ଉପରେ ନିଆଁ ଲଗାଇ ଦେଇଥିଲା। ପୋଲିସ୍ ତୁରନ୍ତ ନିଆଁ ଲିଭାଇଥିଲା ଏବଂ ଆଶୁଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲକୁ ନେଇ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.