ବାଃ ବାଃ ରେ ହାଇଟେକ୍ ପ୍ରେମ : ବାହାଘର ଷ୍ଟାମ୍ପ୍ ବାଡେଇ ମାସେ ପରେ ସ୍ୱାମୀ ଫେରାର, ସମ୍ବଲପୁରରେ ଗୋଟାଏ ନୁହେଁ ଚାରି ଚାରିଟା କେସ୍

Published By : Prameya-News7 Bureau | January 21, 2021 IST

ସମ୍ବଲପୁର ୨୧/୦୧: ଇଣ୍ଟରନେଟ୍ ଯୁଗରେ ଫଟାଫଟ୍ ପ୍ରେମ । ଚଟାପଟ୍ ଏନଜୟମେଣ୍ଟ । ତାପରେ ପୁରା ଷ୍ଟାଇଲରେ ଚିଟିଂ । ପ୍ରେମର ପରିଭାଷା ବଦଳାଇ ଦେଇଛନ୍ତି ଆଜିକାର ସୋସିଆଲ ମିଡିଆ ବାୟା ଯୁବପୀଢି ପ୍ରେମିକ-ପ୍ରେମିକା । ୪୨୦ ରୋମିଓଙ୍କ ଚକ୍କରରେ ପଡୁଛନ୍ତି ସରଳ ଝିଅ ଓ ଯୁବତୀ । ବିଶ୍ୱାସରେ ସବୁ ଦେଇଦେଲା ପରେ ଚିନ୍ତା କଲା ବେଳକୁ ପ୍ରେମିକରୁ ସ୍ୱାମୀ ବନିଥିବା ଲମ୍ପଟ ନିଖୋଜ । ସମ୍ବଲପୁରରେ ଗୋଟିଏ ନୁହେଁ ନିକଟରେ ଏମିତି ଚାରି ଚାରିଟି ଘଟଣା ଘଟିଛି । ଅଭିଯୋଗ ହେବା ପରେ ହିଁ ଜଣାପଡିଛି ଇଣ୍ଟରନେଟରେ ଚାଟିଂ-ଡେଟିଂ ଆଉ ଚିଟିଂର ଚିନ୍ତାଜନକ ଟ୍ରେଣ୍ଡ୍ ।

ପ୍ରଥମେ ଫେସବୁକରେ ଆରମ୍ଭ ହେଲା କଥାବାର୍ତ୍ତା । ସେଇଠୁ ନମ୍ବର ଦିଆନିଆ । ଧିରେଧିରେ ବନ୍ଧୁତାରୁ ପ୍ରେମ ଆଡକୁ ଗଲା ସମ୍ପର୍କ । ପ୍ରେମୀଯୁଗଳ ପରସ୍ପରକୁ ବିବାହ ପାଇଁ ରାଜି ହେଲେ । ଘରଲୋକଙ୍କ ବିରୋଧରେ ଯାଇ ମନ୍ଦିରରେ ବିବାହ କଲେ । ଏହାପରେ ଘର ଭଡା ନେଇ ରହିଲେ । କିନ୍ତୁ ମାସେ ପରେ ସ୍ତ୍ରୀକୁ ଛାଡି ଫେରାର ହୋଇଗଲା ଯୁବକ । ଧରା ଛୁଆଁ ଦେଲାନି । ସମ୍ବଲପୁରର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡାରେ ଘଟିଥିବା ଏହି ଘଟଣା ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

ସୂଚନାନୁସାରେ, ଧନୁପାଲି ଥାନା ସାକ୍ଷୀପଡ଼ାର ୨ ଯୁବକ ଯୁବତୀ କିଛି ମାସ ତଳେ ଫୋନ୍‌ରେ କଥାବାର୍ତ୍ତା ଆରମ୍ଭ କରିଥିଲେ । ପରେ ପରସ୍ପରକୁ ଭେଟିଥିଲେ ।  ସେଇଠୁ ଆରମ୍ଭ ହେଲା ପ୍ରେମ ସମ୍ପର୍କ । ଠିକ୍ ମାସେ ତଳେ ଉଭୟେ ମାନେଶ୍ୱର ସ୍ଥିତ ଏକ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଘର ଲୋକେ ରାଜି ନହେବାରୁ ସେମାନେ ଅଇଁଠାପାଲି ଅଞ୍ଚଳରେ ଏକ ଭଡ଼ାଘର ନେଇ ରହିଲେ । କିନ୍ତୁ ମାସକ ପରେ ସ୍ତ୍ରୀକୁ ଏକଲା ଘରେ ଛାଡ଼ି ସ୍ୱାମୀ ଫେରାର ହୋଇଗଲା । ଆଉ ଧରାଛୁଆଁ ଦେଲା ନାହିଁ । ସେହିପରି ଟାଉନ୍‌ ଥାନା ମହାନ୍ତିପଡ଼ାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ପ୍ରଥମେ ପ୍ରେମ ଓ ଷ୍ଟାମ୍ପ ପେପରରେ ବିବାହ ପରେ ଲିଭ୍‌ ଇନ୍‌ ରିଲେସନ୍‌ ସିପ୍‌ । କିନ୍ତୁ ଦେଢ଼ ମାସ ପରେ ସ୍ତ୍ରୀକୁ ଛାଡ଼ି ଯୁବକ ଅନ୍ୟତ୍ର ବିବାହ ପାଇଁ ଯୋଜନାଚଳାଇଥିବା ଅଭିଯୋଗ ହୋଇଛି ।

ଏତତ୍ ବ୍ୟତୀତ, ତୃତୀୟ ଘଟଣାରେ ଉକ୍ତ ଯୁବକ ଯୁବତୀ ୬ ମାସର ପ୍ରେମ ସମ୍ପର୍କରେ ରହିବା ପରେ ମନ୍ଦିରରେ ବିବାହ କରିଥିଲେ । ଏହାପରେ ଭଡ଼ା ଘର କରି ସେମାନେ ଅଇଁଠାପାଲି ଥାନା ଅଞ୍ଚଳରେ ରହୁଥିଲେ । ମାତ୍ର ଯୁବକ ଜଣଙ୍କ ୧୦ ଦିନ ପୂର୍ବେ ଆସୁଛି କହି ଘରୁ ବାହରିଯାଇଥିଲେ । କିନ୍ତୁ ଆଉ ଫେରିନଥିଲେ ।  ସେବେଠୁ ଯୁବକ ଜଣଙ୍କ ଫୋନ୍ ‌ଉଠାଉନାହାନ୍ତି କି ପତ୍ନୀଙ୍କ ସହ ଯୋଗାଯୋଗ ବି କରୁନାହାନ୍ତି ।

କଥା ଏତିକିରେ ସରିନି । ଚତୁର୍ଥ ଘଟଣା ଘଟିଛି ବୁର୍ଲାଥାନା ଅଞ୍ଚଳରେ । ଦୀର୍ଘ ବର୍ଷର ପ୍ରେମ ସମ୍ପର୍କ ପରେ ପରିବାରର ସହମତିରେ ଦେଢ଼ବର୍ଷ ତଳେ ପ୍ରେମୀ ଯୁଗଳଙ୍କର ବିବାହ ହୋଇଥିଲା । ଉଭୟଙ୍କର ମାସକର ଶିଶୁ ପୁତ୍ର ମଧ୍ୟ ରହିଛି । କିନ୍ତୁ ଏବେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହକରି ସ୍ୱାମୀ ତାଙ୍କୁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.