କୋଭିଡ୍‌ ଓ୍ବାର୍ଡରେ ରୋଗୀଙ୍କୁ ଭେଟିବାକୁ ଆସିଥିଲା, ହଙ୍ଗାମା କରି ଡାକ୍ତରଙ୍କୁ ଛୁରୀରେ କଲା ଆକ୍ରମଣ

Published By : Prameya-News7 Bureau | April 21, 2021 IST

ମୁମ୍ବାଇ ୨୧/୪: କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଏହି ସମୟରେ ଘଟୁଥିବା କିଛି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କିଏ ମାସ୍କ ପିନ୍ଧିବନି ବୋଲି ଜିଦ କରୁଛି ତ ଆଉ କିଏ କହୁଛି କରୋନା ଟେଷ୍ଟ କରିବିନି । ଏହାରି ଭିତରେ ମହାରାଷ୍ଟ୍ରରୁ ଆସିଥିବା ଏକ ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ନାନ୍ଦେଡ଼ ଜିଲ୍ଲାର ମୁଖେଡ଼ ସହରରେ ଥିବା ସରକାରୀ ହସ୍ପିଟାଲର କୋଭିଡ୍‌ ଓ୍ବାର୍ଡକୁ ନିଜର ସମ୍ପର୍କୀୟଙ୍କୁ ଦେଖା କରିବାକୁ ଆସିଥିଲା ଜଣେ ଯୁବକ ।

ଦେଖା କରିବା ସହ ଡାକ୍ତରଙ୍କ ସହ ଉଚ୍ଚ ସ୍ବରରେ କଥା ହୋଇଥିଲା । ଏଥିରେ ପାଖରେ ଥିବା ରୋଗୀ ଏବଂ ସେମାନଙ୍କ ପରିଜନ ଆପତ୍ତି କରିଥିଲେ। ଏହା ପରେ ଅଭିଯୁକ୍ତ ଏବଂ ଅନ୍ୟ ରୋଗୀଙ୍କ ପରିଜନଙ୍କ ସହ ବଚସା ହୋଇଥିଲା। ଏତିକି ବେଳେ ଡାକ୍ତର ମଝିରେ ପଶି ଉତ୍ତ୍ୟକ୍ତ ବ୍ୟକ୍ତିକୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ଏଥିରେ ଉତ୍ତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଛୁରୀରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତର ନାଁ ଭାଉସାହେବ ଗାୟକ୍ବାଡ୍‌। ଡାକ୍ତରଙ୍କୁ ଛୁରୀରେ ଆକ୍ରମଣ କରିବା ମାମଲାରେ ତାକୁ ମୁଖେଡ଼ ପୋଲିସ ଗିରଫ କରିଛି। ମାମଲା ରୁଜୁ କରି ପୋଲିସ ପରବର୍ତ୍ତୀ ତଦନ୍ତ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.