ମରିଗଲାଣି ମାନବିକତା : କରୋନା ଲକ୍ଷଣ ଥିବା ରୋଗୀଙ୍କୁ ଭର୍ତ୍ତି କରିବାକୁ ମନା କଲା ୧୮ଟି, ଚିକିତ୍ସା ଅଭାବରୁ ମୃତ୍ୟୁ

Published By : Prameya-News7 Bureau | July 01, 2020 IST

ବେଙ୍ଗାଲୁରୁ ୦୧/୦୭ : କର୍ଣ୍ଣାଟକ ବେଙ୍ଗାଲୁରୁରେ ଏକ ଅମାନବୀୟ ଘଟଣା ଘଟିଛି | ଜଣେ କରୋନା ଲକ୍ଷଣ ଥିବା ରୋଗୀଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି | ରୋଗୀଙ୍କୁ ସହରର ୧୮ଟି ହସ୍ପିଟାଲକୁ ନିଆଯାଇଥିଲା | କିନ୍ତୁ ସମସ୍ତ ହସ୍ପିଟାଲରେ ବେଡ଼ ଓ ଆଇସିୟୁ ଉପଲବ୍ଧ ନଥିବା କହି ରୋଗୀଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲେ | ରୋଗୀଙ୍କ ବୟସ ୫୦ ବର୍ଷ | ସେ ନାଗଥାପେଟ ଅଞ୍ଚଳରେ ରହୁଥିଲା | ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା | ନିଶ୍ୱାସ ନେବାରେ ଅସୁବିଧା ହେବା କରୋନା ଲକ୍ଷଣ ହୋଇଥିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା | କିନ୍ତୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ମନା କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା |

ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଆପୋଲୋ, ମଣିପାଲ, ଫୋରଟିସ ଭଳି ଅନେକ ପ୍ରାଇଭେଟ ହସ୍ପିଟାଲ ତାଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲେ | ମୃତକଙ୍କ ପୁତୁରା କହିଛନ୍ତି, ଚିକିତ୍ସା ପାଇଁ ତାଙ୍କୁ ୫୦ଟି ହସ୍ପିଟାଲକୁ ନିଆଯାଇଥିଲା | ୧୮ଟି ହସ୍ପିଟାଲ କହିଥିଲେ ଯେ ତାଙ୍କ ପାଖରେ ବେଡ଼ ଓ ଆଇସିୟୁ ଉପଲବ୍ଧ ନାହିଁ | ପରିବାର ଲୋକେ ତାଙ୍କୁ ଘରକୁ ନେଇଗଲେ ଏବଂ ଘରେ ଅକ୍ସିଜେନ ସିଲିଣ୍ଡର ଲଗାଇ ତାଙ୍କର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ | ପ୍ରାଇଭେଟ ହସ୍ପିଟାଲ ଲ୍ୟାବରେ କରୋନା ଯାଞ୍ଚ ମଧ୍ୟ କରାଯାଇଥିଲା | ରିପୋର୍ଟ ସୋମବାର ଦିନ ମିଳିବ ବୋଲି ଲ୍ୟାବ କହିଥିଲା | କିନ୍ତୁ ତା ପୂର୍ବରୁ ରୋଗୀଙ୍କ ଅବସ୍ଥା ଗମ୍ଭୀର ହୋଇପଡ଼ିଥିଲା | ପୁଣିଥରେ ପରିବାର ଲୋକ ହସ୍ପିଟାଲର ଚକ୍କର କାଟିଲେ କିନ୍ତୁ ଏଥର ବି ତାଙ୍କୁ ହସ୍ପିଟାଲ ତରଫରୁ କୌଣସି ସାହାଯ୍ୟ ମିଳିନଥିଲା | ଶେଷରେ ସରକାରୀ Bowring Hospital ରେ ତାଙ୍କୁ ଅତ୍ୟନ୍ତ ଗମ୍ଭୀର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା | ରୋଗୀଙ୍କୁ ଭେଣ୍ଟିଲେଟରରେ ରଖିବାର ୧୦ ମିନିଟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.