ବଗିଚାକୁ ଆମ୍ବ ଜଗିବାକୁ ଯାଇଥିଲେ ଗୌର, ଦନ୍ତା ସହ ହୋଇଗଲେ ମୁହାଁମୁହିଁ, ଦଳି-ଚକଟି...

Published By : Prameya-News7 Bureau | May 17, 2021 IST

ତେଲକୋଇ, ୧୭/୫: ଆମ୍ବ ବଗିଚା ଜଗିବାକୁ ଯାଇ ଆଉ ଫେରିଲେନି ଗୌର ନାୟକ। ଶୁଣ୍ଢରେ ଟାଣି ନେଇ ଦଳିଦେଲା ଦନ୍ତା। ଏଭଳି ଘଟଣା ତେଲକୋଇ ବନାଞ୍ଚଳ ଅଧିନସ୍ଥ ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମର ଘାଗିସାହି ଆମ୍ବ ବଗିଚାରେ ଘଟିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଶିରିଆବାହାଳ ଗ୍ରାମ ପୁରୁଣା ସାହି ର ଗୌର ଚନ୍ଦ୍ର ନାୟକ ସକାଳେ ଆମ୍ବ ବଗିଚା ଜଗିବାକୁ ମୁଣ୍ଡାନାଳ ନିକଟ ନିଜ ବଗିଚାକୁ ଯାଇଥିଲେ। ବଗିଚା ନିକଟରେ ବୁଲୁଥିବା ବେଳେ ଏକ ଦନ୍ତା ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡିଦେବା ସହ ଆମ୍ବ ବଗିଚା ଭିତରକୁ ଟାଣି ନେଇଥିଲା। ସେଠାରେ ହାତୀଟି ଗୌରଙ୍କୁ ବାରମ୍ବାର କଚାଡିବା ସହ ଦଳିମକଚି ଶବକୁ ଶୁଣ୍ଢରେ ଧରି ବୁଲିବା ପରେ ଗୋଟିଏ ଜାଗାରେ ପକାଇ ଦେଇ ଚାଲିଯାଇଥିଲା।

ବଗିଚାକୁ ଯିବାର ବହୁ ସମୟ ବିତିଯାଇଥିଲେ ମଧ୍ୟ ଘରକୁ ନଫେରିବାରୁ ଗୌରଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ l ପରେ ବଗିଚା ନିକଟ ପାଦଚଲା ରାସ୍ତାରେ ତାଙ୍କର ଲୁଙ୍ଗୀ, ବେକର ମାଳି ସହିତ ହାତୀ ପାଦଚିହ୍ନ ପଡିଥିବା ଦେଖି ସେ ହାତୀ ହାବୁଡରେ ପଡିଯାଇଥିବା ସନ୍ଦେହ କରି ବଗିଚା ଭିତରେ ଖୋଜିବା ଆରମ୍ଭ କରିଥିଲେ। ସେଠାରୁ କିଛି ବାଟ ଗଲାପରେ ଗୌରଙ୍କ ଗାମୁଛା, ଚପଲ ଏବଂ ବାଡି ପଡିଥିବା ଦେଖି ଆହୁରି ପ୍ରାୟ ୧୦୦ ମିଟର ଭିତରକୁ ଗଲାପରେ ବଭତ୍ସ ଭାବରେ ଦଳିଚକଟି ହୋଇ ତାଙ୍କ ଶବ ପଡିଥିବା ଦେଖିବାକୁ ପାଇଥିଲେ।

ପରିବାର ଲୋକ ଏନେଇ ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ ।ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.