ବ୍ୟକ୍ତିଙ୍କୁ ଶୁଣ୍ଢରେ କଚାଡି ମାରିଦେଲା ଦନ୍ତା

Published By : Prameya-News7 Bureau | July 24, 2019 IST

କେନ୍ଦୁଝର ୨୪|୭: କେନ୍ଦୁଝରରେ ଜାରି ରହିଛି ଦନ୍ତାର ଦାଦାଗିରି । ପୁଣି ଗୋଡାଇ ଗୋଡାଇ ଜଣଙ୍କୁ ଦଳି ମାରିଦେଲା ଦନ୍ତା । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି ।

କେନ୍ଦୁଝରରେ ଜାରି ରହିଛି ଦନ୍ତା ହାତୀର ଦାଦାଗିରି । ପୁଣି ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଶୁଣ୍ଢରେ କଚାଡି ପାଦରେ ଦଳି ମାରିଛି ଦନ୍ତା । ଗାଁରେ ଭୟର ବାତାବରଣ ଦେଖାଦେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବିଜେପି ରେଞ୍ଜ ଶଙ୍କାରୀ ଗାଁରେ । ଗାଁ ଲୋକଙ୍କର କହିବା ଅନୁସାରେ ଗତକାଲି ରାତିରେ ସେହି ଗାଁର ବିଲନ ଦେହୂରୀ ବାହାରକୁ ଯାଇ ଫେରୁଥିବା ସମୟରେ ପାଖ ବିଲ ରେ ଦନ୍ତା ଖାଉଥିଲା ଓ ଗାଁ ଲୋକେ ଦନ୍ତାକୁ ତଡିବାକୁ ଚେଷ୍ଟା କରୁଥିଲେ ।

ସେହି ସମୟରେ ଦନ୍ତାର ନଜର ବିଲନ ଉପରେ ପଡିଥିଲା । ତୁରନ୍ତ ଦନ୍ତା ତାଙ୍କୁ ଗୋଡାଇ ଗୋଡାଇ ଶୁଣ୍ଢରେ କଚାଡି ପାଦରେ ଦଳି ଚକଟି ମାରିଦେଇଥିଲା । ଗାଁ ଲୋକେ ଯେତେ ପାଟିତୁଣ୍ଡ କରି ଟେକା ପଥର ଫିଙ୍ଗି ଦନ୍ତାକୁ ତଡିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ ।  କେବଳ ସେତିକି ନୁହେଁ ବିଲନକୁ ମାରିବା ପରେ ସେହି ମୃତଦେହ ପାଖରେ ଅନେକ ସମୟ ଧରି ଜଗି କରି ମଧ୍ୟ ରହିଥିଲା । ଲୋକେ ହାତୀ ଭୟରେ ପାଖକୁ ଆସି ପାରିନଥିଲେ । ଶେଷରେ ସକାଳ ହେବା ପରେ ହାତୀଟି ମୃତଦେହ ଛାଡି ଜଙ୍ଗଲକୁ ପଳାଇଥିଲା । ପାଖ ଜଙ୍ଗଲରେ ହାତୀଟି ଡେରା ପକାଇଥିବାରୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । 

ସେପଟେ ବିଜେପି ରେଞ୍ଜର ଅଫିସର ମୁକ୍ତିକାନ୍ତ ପରିଡାଙ୍କର କହିବା ଅନୁସାରେ ବର୍ତ୍ତମାନ ତିନୋଟି ଗୋଠଛଡା ଦନ୍ତା ଏକାଠି ହୋଇଯାଇଛନ୍ତି । ଗତକାଲି ରାତିରେ ତିନୋଟି ଯାକ ଦନ୍ତା ସୁକଡଳା ଗାଁ ନିକଟରେରେ ଥିଲେ ବନ ବିଭାଗ ଓ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ହାତୀ ତଡୁଥିଲେ ଓ ହାତୀଗୁଡିକ ବିଳମ୍ବିତ ରାତିରେ ପାହାଡ ଓ ଏକ ନାଳ ଡେଇଁ ଶଙ୍କାରୀ ଗାଁକୁ ଚାଲି ଆସିଥିଲେ ଓ ଏହି ବ୍ୟକ୍ତି ଜଣକ ହାତୀ ହାବୁଡରେ ପଡି ଯାଇଥିଲେ ଓ ଦନ୍ତ ତାଙ୍କୁ ମାରିଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.