ଲକ୍ ଡାଉନ୍‌ ଯୋଗୁଁ ଚାଲିଗଲା ଜୀବନ : ଦିଲ୍ଲୀରୁ ୨୦୦ କି.ମି. ଚାଲି ଚାଲି ଆଗ୍ରା ଆସିଥିଲେ ଯୁବକ

Published By : Prameya-News7 Bureau | March 29, 2020 IST

ଆଗ୍ରା ୨୯।୩: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଲକ୍ ଡାଉନ୍ ବେଳେ ଦିଲ୍ଲୀରୁ ଘରକୁ ଫେରୁଥିବା ଜଣେ ଯୁବକଙ୍କର ରାସ୍ତାରେ ମୃତ୍ୟୁ ହୋଇଛି । ରଣବୀର ସାଖଓ୍ବାର ମଧ୍ୟପ୍ରଦେଶର ମୁରୈନାର ବାସିନ୍ଦା ଥିଲେ । ସେ ଦିଲ୍ଲୀର ଏକ ହୋଟେଲରେ ଡେଲିଭରି ପହଞ୍ଚାଇବା କାମ କରୁଥିଲେ । ଚାଲିବା ସମୟରେ ହୃଦଘାତରେ ରଣବୀରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଦିଲ୍ଲୀରୁ ପ୍ରାୟ ୨୦୦ କିଲୋମିଟର ଚାଲିବା ପରେ ରଣବୀର ଶନିବାର ଦିନ ଆଗ୍ରା ପହଞ୍ଚିଥିଲେ । ଆଗ୍ରା ପୋଲିସ ଷ୍ଟେସନର ସିକନ୍ଦରା ଅଞ୍ଚଳରେ ରଣବୀରଙ୍କ ଛାତିରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ରଣବୀର ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର ଅମ୍ବାହ ତହସିଲର ବଡଫରା ଗାଁର ବାସିନ୍ଦା ଥିଲେ । ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ ।

ଲକ୍ ଡାଉନ୍ ଘୋଷଣା ହେବା ପରେ ତାଙ୍କୁ ହୋଟେଲରୁ ଛୁଟି ଦେଇଦିଆଯାଇଥିଲା । ଲକ୍ ଡାଉନ୍ ଯୋଗୁଁ କୌଣସି ଗାଡି ନ ମିଳିବାରୁ ରଣବୀର ପାଦରେ ଚାଲି ଚାଲି ନିଜ ଘରକୁ ଫେରିବାକୁ ମନସ୍ତ କରି ବାହାରି ପଡିଥିଲେ । କିଛି ଲୋକ ଏକାଠି ହୋଇ ଚାଲିବା ଆରମ୍ଭ କରିଥିଲେ । ମାତ୍ର ସେମାନେ ସମସ୍ତେ ଭିଡ କାରଣରୁ ଅଲଗା ହୋଇଯାଇଥିଲେ ।

ରଣବୀର ଅକ୍ଟୋବର ମାସରେ ପରିବାର ଲୋକଙ୍କ ରହିବା ପାଇଁ ଗାଁରେ ଏକ ଘର ନିର୍ମାଣ କରିଥିଲେ ଦିଲ୍ଲୀ ଫେରିଥିଲେ । ରଣବୀର ତାଙ୍କ ପତ୍ନୀଙ୍କୁ ଏଥରକ ଘରକୁ ଆସିବାକୁ ଜଣାଇଥିଲେ । ସେ ଶୀଘ୍ର ଘରକୁ ଆସିବେ ବୋଲି ଭଉଣୀ ପିଙ୍କିଙ୍କୁ ମଧ୍ୟ ଜଣାଇଥିଲେ ।

ରଣବୀରଙ୍କ ମୃତ୍ୟୁ ପରେ ଅମ୍ବାହ ଏସଡିଏମଙ୍କଠାରୁ ଅନୁମତି ନେଇ ପରିବାରଲୋକ ଆଗ୍ରାରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରଣବୀରଙ୍କ ଅନ୍ତିମ ସଂସ୍କାର ପାଇଁ ୫ ହଜାର ଟଙ୍କା ପରିବାରଲୋକଙ୍କୁ ପ୍ରଦାନ କରାଯାଇଛି । ନିୟମ ଅନୁଯାୟୀ ଖୁବ୍ ଶୀଘ୍ର ସରକାରଙ୍କ ତରଫରୁ ଦୁଇ ଲକ୍ଷ ଟଙ୍କା ସହାୟତା ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.