ନିଖୋଜ ହୋଇଗଲା ଏକମାତ୍ର ରୋଜଗାରିଆ ପୁଅ, ଚିନ୍ତାରେ ଜୀବନ ହାରିଲା ବାପା

Published By : Prameya-News7 Bureau | May 31, 2020 IST

ମାଲକାନଗିରି, ୩୧|୦୫:  କରୋନା ଆତଙ୍କ ମଧ୍ୟରେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆମାନେ ଘରକୁ ଫେରି ଆସୁଛନ୍ତି । କିଏ ବସରେ ତ ପୁଣି କିଏ ଟ୍ରେନ୍, ସାଇକେଲ୍, ଟ୍ରକ ଆଦିରେ ଘରକୁ ଫେରୁଛନ୍ତି । ଆଉ କେହି କେହି ପାଦରେ ଚାଲିଚାଲି ଫେରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଅଧାବାଟରେ ମଧ୍ୟ କେତେକ ପ୍ରବାସୀଙ୍କ ଜୀବନ ଚାଲିଯାଉଥିବା ଖବର ମିଳୁଛି । ଆଉ କିଛି ପ୍ରବାସୀ ଶ୍ରମଜୀବୀଙ୍କ କୌଣସି ପତ୍ତା ମଧ୍ୟ ମିଳୁନାହିଁ । ତେବେ ମାଲକାନଗିରି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ପୁଅର ନିଖୋଜ ହେବା ଖବର ଶୁଣି ବାପା ଜୀବନ ହାରିଛି ।

ସୂଚନାନୁସାରେ, ଜିଲ୍ଲାର ମାଥିଲି ବ୍ଲକ୍ ଗୁରୁଗୁଡା ଗ୍ରାମରେ ବଳି ପୂଜାରୀ ନାମକ ଜଣେ ବ୍ୟକ୍ତି ବାସ କରନ୍ତି । ପରିବାର କହିଲେ ତାଙ୍କର ୨ ପୁଅ ଓ ୨ ଝିଅ । ଝିଅ ୨ଜଣ ବିବାହିତ । ବଡ ପୁଅ ମୁକୁନ୍ଦ ଯୁକ୍ତ ୨ରେ ପାଠ ପଢୁଥିବା ବେଳେ ସାନପୁଅ କୃଷ୍ମ ପୂଜାରୀ ନବ୍ମ ଶ୍ରେଣୀରେ ପଢନ୍ତି । ତେବେ ବଳିଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ସେ କୌଣସି କାମ କରିପାରିଲେ ନାହିଁ । ଫଳରେ ପରିବାର ଚଳାଇବା କଷ୍ଟକର ହୋଇଗଲା । ଏହା ଦେଖି ବଡ ପୁଅ ମୁକୁନ୍ଦ ପାଠପଢା ବନ୍ଦ କରି ହାଉଦ୍ରାବାଦକୁ ଦାଦନ ଖଟିବାକୁ ଚାଲିଗଲେ ।

ଗତ କିଛିଦିନ ତଳେ ମୁକୁନ୍ଦ ନିଖୋଜ ହୋଇଯାଇଥିବା ତାଙ୍କ ବନ୍ଧୁମାନେ ପରିବାର ଲୋକଙ୍କୁ ଜଣାଇଥିଲେ । ଏହି ଖବର ଶୁଣି ବଳି ଅଚେତ ହୋଇପଡିଲେ । ଏହାପରେ ସେ ଖାଇବା ପିଇବା ଛାଡିଦେଇଥିଲେ । କହିବାକୁ ଗଲେ ସେ ଏକ ପ୍ରକାର ମୁକ ପାଲଟିଗଲେ । ତେବେ ଶନିବାର ରାତିରରେ ସେ କାନ୍ଦି କାନ୍ଦି ଶୋଇଯାଇଥିଲେ । ରବିବାର ତାଙ୍କୁ ପରିବାର ଲୋକେ ଉଠାଇବାରୁ ସେ ଆଉ ଉଠିନଥିଲେ । ପରିବାରର ଏକମାତ୍ର ରୋଜଗାରିଆ ପୁଅର ନିଖୋଜ ଚିନ୍ତାରେ ସେ ପ୍ରାଣ ହରାଇଥିବା କୁହାଯାଉଛି । ବଳିଙ୍କ ପରିବାରକୁ ସରକାରୀ ସ୍ତରରେ ସହୟତା ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.