ପତ୍ନୀ ସହ ରଖୁଥିଲା ଅପ୍ରାକୃତିକ ଯୌନ ସମ୍ବନ୍ଧ, ଛାତିରେ ରଗଡିଥିଲା ବିଡି: ୭ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | February 25, 2021 IST

ରୋହତକ ୨୫/୦୨ : ହରିୟାଣା ରୋହତକ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପତ୍ନୀ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖୁଥିବା ସ୍ୱାମୀକୁ କୋର୍ଟ ୭ ବର୍ଷ କାରାବାସ ଶୁଣାଇଛନ୍ତି। ମାମଲା ଗତ ବର୍ଷର। ରୋହତକ ଜିଲ୍ଲା ଶିବାଜୀ କଲୋନୀ ଥାନା ଅନ୍ତର୍ଗତ ଏକ ଗାଁରେ ମହିଳା ମାମଲା ରୁଜ୍ଜୁ କରିଥିଲେ ଯେ ତାଙ୍କ ସ୍ୱାମୀ ମଦ ପିଇ ତାଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖୁଛି। ମନା କରିବାରୁ ତାଙ୍କୁ ମାରପିଟ କରିବା ସହ ଜଳନ୍ତା ବିଡି ତାଙ୍କ ଛାତିରେ ରଗଡି ଦେଇଥିଲା। ମହିଳା ଯନ୍ତ୍ରଣାରେ ପାଟି କରିବାରୁ ତାଙ୍କ ୩ ସନ୍ତାନ ମା' ପାଖକୁ ଦୌଡ଼ି ଆସିଥିଲେ। ପିଲାଙ୍କୁ ଦେଖି ସେ ସେଠାରୁ ପଳାଇ ଯାଇଥିଲା।

ମାମଲାରେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଏବଂ ନ୍ୟାୟାଧୀଶ ଆରପି ଗୋପାଳଙ୍କ ଅଦାଲତ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଅଦାଲତ ଦୋଷୀକୁ ସାଢେ ୭ ହଜାର ଟଙ୍କା ଜରିମାନା ବି ଲଗାଇଛନ୍ତି। ଜରିମାନା ନଦେଲେ ୭ ମାସ ଅତିରିକ୍ତ ସଜ୍ଜା କାଟିବାକୁ ହେବ। ଏହାସହ ଅଦାଲତ କହିଛନ୍ତି ଯେ ମହିଳାଙ୍କୁ ନେଇ ସମ୍ବିଧାନ ନିର୍ମାତା ଡ.ଆମ୍ବେଦକର କହିଥିଲେ ଯେ ସମାଜର ଉନ୍ନତି କରିବାକୁ ହେଲେ ମହିଳାଙ୍କ ଉନ୍ନତି କରିବାକୁ ହେବ।

ଅଦାଲତ ଆଗକୁ କହିଥିଲେ ଯେ, ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ଯେପରି ପକ୍ଷୀ ଗୋଟିଏ ପର ସାହାଯ୍ୟରେ ଉଡି ପାରେନାହିଁ ଠିକ ସେହିଭଳି ସ୍ତ୍ରୀ ଓ ପୁରୁଷ ପରସ୍ପର ବିନା ଚଳି ପାରିବେନି। ଶ୍ରୀ ଗୁରୁନାନକ କହିଥିଲେ ଯେ ମହିଳା ରାଜାଙ୍କୁ ବି ଜନ୍ମ ଦେଇଛନ୍ତି। ସେଥିପାଇଁ ମହିଳାଙ୍କୁ ନିନ୍ଦା କରାଯାଇ ପାରିବନାହିଁ। ପତ୍ନୀ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ଘୋର ନିନ୍ଦନୀୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.