ସ୍ତ୍ରୀ କରୱା ଚୋୖଥ ବ୍ରତ ରଖିବାକୁ ମନା କରିବାରୁ ସ୍ୱାମୀ କଲେ ଆତ୍ମହତ୍ୟା

Published By : Prameya-News7 Bureau | October 28, 2018 IST

ଉତ୍ତର ପ୍ରଦେଶ ୨୮/୧୦ : ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ସ୍ତ୍ରୀ କରୱା ଚୋୖଥ ବ୍ରତ ରଖିବାକୁ ମନା କରିଦେବାରୁ ଜଣେ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି | ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଶନିବାର ଦିନ ଜଣେ ୨୧ ବର୍ଷ ବୟସ୍କ ବିବାହିତ ପୁରୁଷ ଆତ୍ମହତ୍ୟା କରିଛନ୍ତି | ନୂଆ ବାହା ହୋଇଥିବା ତାଙ୍କ ସ୍ତ୍ରୀ କରୱା ଚୋୖଥ ବ୍ରତ ରଖିବାକୁ ମନା କରିଦେଇଥିବାରୁ ସେ ଏଭଳି କରିଥିବା ଜଣାପଡିଛି | ମୃତକ ଜଣକ ହେଲେ ଦୀପ ଚାନ୍ଦ | ସୂଚନାଯୋଗ୍ୟ ଯେ, ଦୀପ ନିଜ ପରିବାର ସହ ମାଘେରା ଗାଁରେ ରହନ୍ତି | ୪ ମାସ ପୂର୍ବରୁ ତାଙ୍କର ବାହାଘର ହୋଇଥିଲା | ପେଶାରେ ସେ ଜଣେ ଦର୍ଜୀ | ଶନିବାର ସକାଳ ୧୦ଟା ରେ ଦୀପ ନିଜ ସ୍ତ୍ରୀକୁ କରୱା ଚୋୖଥ ବ୍ରତ ରଖିବାକୁ କହିଥିଲେ | କିନ୍ତୁ ତାଙ୍କ ସ୍ତ୍ରୀ ଅସୁସ୍ଥତା ଯୋଗୁଁ ବ୍ରତ ରଖିବେନାହିଁ ବୋଲି ମନା କରିଦେଇଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ଦୀପ ନିଜକୁ ଏକ ଘର ଭିତରେ ବନ୍ଦ କରିଦେଇଥିଲେ | ଘରଲୋକ କବାଟ ବାଡେଇବା ପରେ ମଧ୍ୟ ସେ ଖୋଲିନଥିଲେ | ତେବେ ବାଧ୍ୟ ହୋଇ ଘରଲୋକ କବାଟ ଭାଙ୍ଗିଦେଇଥିଲେ | କବାଟ ଖୋଲି ଦେଖିଲା ବେଳକୁ ଦୀପ ଏକ ସିଲିଂ ଫ୍ୟାନରେ ଓଢଣୀ ଲଗାଇ ଝୁଲୁଛନ୍ତି | ପରିବାରଲୋକେ ସଂଗେ ସଂଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ | ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ | ତେବେ ଘଟଣାସ୍ଥଳରୁ କୌଣସି ସୂଈସାଇଡ ନୋଟ ମିଳିନଥିବା ବୃନ୍ଦାବନ ଆଇଆଇସି ରାମପାଲ ସିଂ ଭାଟି କହିଛନ୍ତି | ପୋଲିସ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି | ତେବେ ଏଯାଏଁ ଘଟଣାର କୌଣସି ଲିଖିତ ଅଭିଯୋଗ ନଥିବା ପୋଲିସ କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.