ପତ୍ନୀ ନିର୍ଯାତନା ଆଳରେ ପୁରା ପରିବାରକୁ ମାରି ନିଜେ ଆତ୍ମହତ୍ୟା କଲା ୩୭ବର୍ଷ ବୟସ୍କ ସ୍ବାମୀ

Published By : Prameya-News7 Bureau | July 06, 2019 IST

ମସୁରୀ ୬|୭: ସଂପୂର୍ଣ୍ଣ ପରିବାରକୁ ମାରିଦେଇ ନିଜେ ଆତ୍ମହତ୍ୟା କରିବା ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଓ ମୁମ୍ବାଇ ପରେ ଉତ୍ତରପ୍ରଦେଶର ମସୁରୀ ନିକଟସ୍ତ ଶତାବ୍ଦୀପୁରମ୍ ରେ ପୁଣି ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରଦୀପ ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ଓ ତିନି ଛୁଆକୁ ବିଷ ଦେଇ ହତ୍ୟା କରିବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି । ପତ୍ନୀ ନିର୍ଯାତନା ସହିନପାରି ସଂପୂର୍ଣ୍ଣ ପରିବାରକୁ ମାରିଦେବା ଉଚିତ୍ ବୋଲି ଭାବି ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପ୍ରଦୀପ ସୁଇସାଇଡ୍ ନୋଟ୍ ରେ ଉଲ୍ଲେଖ କରିଛି । ପୋଲିସ ଘଟଣାସ୍ଥଳରୁ ୪ଟି ଯାକ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ପରିବାରକୁ ମାରି ନିଜେ ଆତ୍ମହତ୍ୟା କରିଥିବା ପ୍ରଦୀପ ଜଣେ ଅଭ୍ୟାସଗତ ମଦ୍ୟପ ଥିଲା । କୌଣସି କାମଦାମ କରୁନଥିବା ବେଳେ ସବୁବେଳେ ଘରେ ଗଣ୍ଡଗୋଳ କରୁଥିଲା । ଅପରପକ୍ଷରେ ପ୍ରଦୀପର ମୃତ ପତ୍ନୀ ଦିଲ୍ଲୀ ଏମ୍ସରେ ନର୍ସ ଭାବେ କାମ କରୁଥିଲେ । ସେମାନଙ୍କର ତିନୋଟି ସନ୍ତାନ ମଧ୍ୟରୁ ବଡ ପୁଅର ବୟସ ୧୧ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇ ସନ୍ତାନଙ୍କର ବୟସ ୫ ଓ ୩ବର୍ଷ ।

ପ୍ରଥମେ ସ୍ତ୍ରୀକୁ ହତ୍ୟା କରିବା ପରେ ୩୭ବର୍ଷ ବୟସ୍କ ପ୍ରଦୀପ ଛୁଆମାନଙ୍କ ପାଟିରେ ବିଷ ଭର୍ତ୍ତି କରି ମୁହଁକୁ ଟେପ୍ ସାହାଯ୍ୟରେ ସିଲ୍ କରିଦେଇଥିଲା । ସମସ୍ତଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହେବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.