ସ୍ତ୍ରୀ ସହ ଅଢେଇ ବର୍ଷର ଶିଶୁକନ୍ୟାକୁ ହତ୍ୟା କରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲା ସ୍ବାମୀ, ଜାଣନ୍ତୁ ପୂରା ଖବର
24/09/2019 at 1:36 PM

ରାଉରକେଲା ୨୪।୯: ରାଉରକେଲାରେ ଜଣେ ବ୍ୟକ୍ତି ସ୍ତ୍ରୀ ସହ ଅଢେଇ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ରାଉରକେଲା ସେକ୍ଟର-୧ ସି୧୧୨ ସକ୍ରଜିତ ଭଞ୍ଜଦେଓ ବିଶାଖାପଟଣାରେ ଏଫସିଆଇରେ ଡେପୁଟି ମ୍ୟାନେଜର ଭାବରେ କାମ କରୁଥିଲେ । ୨୦୧୭ ଜାନୁଆରୀ ୨୫ରେ ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ଅଂଚଳର ପୁରୁଷୋତ୍ତମ ଧଳ ସାମନ୍ତଙ୍କ ଝିଅ ସୁଖଲତ ଧଳସାମନ୍ତଙ୍କୁ ବିବାହ କରିଥିଲେ । ସକ୍ରଜିତ ବିଶାଖାପାଟଣାରେ ଚାକିରୀ କରିଥିବାରୁ ସ୍ତ୍ରୀ ସହ ଅଢେଇ ବର୍ଷର ଶିଶୁକନ୍ୟାକୁ ନେଇ ବିଶାଖାପାଟଣା ପାଲେମ ଥାନା ଜାନଭି ଏନକ୍ଲେଭ ୧୦୧ରେ ରହୁଥିଲେ ।
ଗତ ୧୯ ତାରିଖ ଗୁରୁବାର ଦିନ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କରିବା ପରେ ଶିଶୁ କନ୍ୟାକୁ ହତ୍ୟା କରି ଘର ବନ୍ଦ କରି ଛୁଟି ନେଇ ଘରକୁ ଆସୁଥିଲେ । ରାଉରକେଲା ଫେରୁଥିବା ବେଳେ ସମ୍ବଲପୁର ଜିଲ୍ଲା ବାମରା ଷ୍ଟେସନରେ ଗତ ୨୧ ତାରିଖରେ ଓହ୍ଲାଇ ରାଜଗାଙ୍ଗପୁର ଜିଆରପି ଟାଙ୍ଗରପାଲି ରେଳ ଧାରଣାରେ ଛିଡା ହୋଇ ତାଙ୍କ ମା’ଙ୍କୁ ଫୋନ କରିଥିଲେ । କହିଥିଲେ ଯେ, ସ୍ତ୍ରୀ ସହ ଝିଅର ମୃତଦେହ ବିଶାଖାପାଟଣା ଘରେ ପଡିଛି ତାଙ୍କୁ ହତ୍ୟା କଲାପରେ ସେ ଆତ୍ମହତ୍ୟା କରୁଛନ୍ତି ବୋଲି କହିଥିଲେ । ଏତିକି କହି ସେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ।
ପରିବାରଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ବିଶାଖାପାଟଣା ପୋଲିସ ପହଞ୍ଚି ଘର ଭିତରୁ ଶବ ଦୁଇଟି ଜବତ କରି ବ୍ୟବଚ୍ଛେଦ କରାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ରାଉରକେଲା ପୋଲିସ ସକ୍ରଜିତଙ୍କ ଶବକୁ ମଧ୍ୟ ଉଦ୍ଧାର କରି ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା । ଏହି ହତ୍ୟା ପଛରେ ଯୌତୁକ ଜନିତ କାରଣ ଥିବା ଚର୍ଚ୍ଚା ହେଉଥିବା ବେଳେ ମୃତ ସକ୍ରଜିତଙ୍କ ବାପା ଏହାକୁ ଖଣ୍ଡନ କରିଛନ୍ତି ।
ବିଶାଖାପଟଣାର ପାଲେମ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଦୁଇ ଦିନ ମଧ୍ୟରେ ଘଟଣାର ଅଧିକ ତଦନ୍ତ ପାଇଁ ରାଉରକେଲା ଏବଂ ଭୁବନେଶ୍ବର ଆସିବା ନେଇ ଜଣାପଡିଛି ।