ମନରୁ ଲିଭୁନି ଭ୍ରମ ! ଟିକା ନନେବା ପାଇଁ ସ୍ତ୍ରୀର ଆଧାର କାର୍ଡ ନେଇ ଗଛକୁ ଚଢ଼ିଗଲା ଯୁବକ, ଦୀର୍ଘ ସମୟ ଚାଲିଲା ହାଇ ଡ୍ରାମା

Published By : Prameya-News7 Bureau | June 26, 2021 IST

ଇନ୍ଦୋର ୨୬/୬: କରୋନା ବିରୋଧୀ ଲଢ଼େଇ ଜିତିବାକୁ ହେଲେ ଟିକା ହିଁ ଏକମାତ୍ର ବିକଳ୍ପ। ଏହା ସରକାରଙ୍କ ସମେତ ସମସ୍ତ ବିଶେଷଜ୍ଞଙ୍କ ମତ। ଲୋକେ ମଧ୍ୟ ବହୁ ଆଗ୍ରହର ସହ ଟିକା ନେଇ ସରକାରଙ୍କୁ ସହାୟତା କରୁଛନ୍ତି। ଟିକାକରଣରେ ଭାରତ ପୂରା ବିଶ୍ବରେ ଉଦାହରଣ ମଧ୍ୟ ସୃଷ୍ଟି କରିଛି। କିନ୍ତୁ ଏମିତି କିଛି ସ୍ଥାନ ଅଛି ଯେଉଁଠି ଟିକାକୁ ନେଇ ଭ୍ରମ ଦୂର ହେବାର ନାଁ ଧରୁନି। ଲୋକେ ଟିକା ନେବାକୁ ଭୟ କରୁଛନ୍ତି।

ମଧ୍ୟପ୍ରଦେଶର ରାଜଗଢ଼ ଜିଲ୍ଲାରେ ଜଣେ ବ୍ୟକ୍ତି ଟିକା ନନେବା ପାଇଁ ଗଛକୁ ଚଢ଼ି ଯାଇଥିଲେ । ଜିଲ୍ଲାର ପାଟନକଲା ଗାଁରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଟିକାକରଣ କ୍ୟାମ୍ପ ପାଇଁ ପହଞ୍ଚିଥିଲା। କ୍ୟାମ୍ପରେ ଭ୍ୟାକସିନ୍‌ ନେବାକୁ ଲୋକେ ଜମା ହୋଇଯାଇଥିଲେ। କିନ୍ତୁ ଗାଁରେ ରହୁଥିବା କମ୍ବରଲାଲ ଭ୍ୟାକସିନ ନେବାକୁ ଜମା ରାଜି ନଥିଲେ। ଗ୍ରାମବାସୀ ତାଙ୍କୁ ବହୁ ବାର ଟିକା ନେବାକୁ ବୁଝାଇ ଥିଲେ ସୁଦ୍ଧା ସେ ରାଜି ହୋଇନଥିଲେ। ସେ ରାଜି ନହେବାରୁ ତାଙ୍କ ସ୍ତ୍ରୀଙ୍କୁ ଗାଁ ଲୋକେ ଟିକା ନେବାକୁ ରାଜି କରାଇଥିଲେ। ତାଙ୍କୁ ନେଇ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ।

ସେପଟେ ସ୍ତ୍ରୀ ଟିକା ନେବାକୁ ଯାଇଥିବା କଥା ଶୁଣି କମ୍ବରଲାଲ ତାଙ୍କର ଆଧାର କାର୍ଡ ନେଇ ଗଛ​‌ ଉପରକୁ ଚଢ଼ିଯାଇଥିଲେ। ​‌ସେ ଗଛକୁ ଚଢ଼ିଯିବା ପରେ ଗାଁ ଲୋକେ ତାଙ୍କୁ ତଳକୁ ଆସିବାକୁ ଅନେକ ଥର କହିଥିଲେ ମଧ୍ୟ ସେ ଆସିନଥିଲେ। ଗାଁରେ ଟିକାକରଣ ଶେଷ ହେବା ପରେ କମ୍ବରଲାଲ ତଳକୁ ଓହ୍ଲାଇଥିଲେ। ଏକଥା ଶୁଣିବା ପରେ ଖଞ୍ଜୁର ବ୍ଲକର ମେଡିକାଲ ଅଧିକାରୀ ଡାକ୍ତର ରାଜୀବ ଗାଁରେ ପହଞ୍ଚିଥିଲେ। ଅନେକ ସମୟ ଧରି କମ୍ବରଲାଲଙ୍କୁ ବୁଝାସୁଝା କରିଥିଲେ। ତାପରେ ଟିକାକୁ ନେଇ ତାଙ୍କ ମନରେ ଥିବା ଭ୍ରମ ଦୂର ହୋଇଥିବା ଜଣାପଡ଼ିଛି।

ସେପଟେ ଟିକାକରଣ କ୍ୟାମ୍ପରେ ଟିକାକରଣ ବନ୍ଦ ହୋଇଯାଇଥିଲା। ଦ୍ବିତୀୟ ଥର ଗାଁରେ ଟିକାକରଣ କ୍ୟାମ୍ପ ଲାଗିବା ପରେ କମ୍ବରଲାଲ ଏବଂ ତାଙ୍କ ସ୍ତ୍ରୀଙ୍କୁ ଟିକା ଦିଆଯିବ। ତେବେ ଟିକା ନେବା ପରେ ଭୀଷଣ ଜ୍ବର, ଦେହହାତ ବ୍ୟଥା ଆଦି ହେବା ସହ ଅନ୍ୟ ସମସ୍ୟା ଦେଖାଯାଏ ବୋଲି କମ୍ବରଲାଲଙ୍କ ମନରେ ଭୟ ରହିଥିଲା ବୋଲି ଗାଁ ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.