ବିଶ୍ବର ସବୁଠୁ ବଡ ରୁବିକ୍ ପଜଲ୍ ତିଆରି କରି ନିଜ ପୁରୁଣା ରେକର୍ଡ ଭାଙ୍ଗିଲେ ନିଜେ, ଏହାର ଉଚ୍ଚତା ୬ ଫୁଟ ୭ ଇଞ୍ଚ
1/04/2020 at 2:26 PM

ଲଣ୍ଡନ ୧।୪: ପୂର୍ବ ଇଂଲଣ୍ଡର ସଫୋକ ଇପ୍ସ୍ୱିଚ୍ ରେ ରହୁଥିବା ଟୋନି ଫିଶର ବିଶ୍ବର ସବୁଠୁ ବଡ ରୁବିକ୍ ପଜଲ୍ ତିଆରି କରିଛନ୍ତି । ଏହାର ଉଚ୍ଚତା ୬ ଫୁଟ ୭ ଇଞ୍ଚ । ଏହାକୁ ତିଆରି କରିବା ପାଇଁ ସେ ପ୍ଲାଷ୍ଟିକ୍ ପାଇପ୍ ଏବଂ ରେନଫୋର୍ସ ବାକ୍ସ ବ୍ୟବହାର କରିଥିଲେ । ଏହାକୁ ତିଆରି କରିବା ସହିତ ସେ ନିଜର ୪ ବର୍ଷର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ୨୦୧୬ରେ ସେ ୫ ଫୁଟ ୧ ଇଞ୍ଚ ଉଚ୍ଚତାର ଏକ ରୁବିକ୍ ପଜଲ୍ ତିଆରି କରିଥିଲେ । ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା ।
ଫିଶର କହିଛନ୍ତି ଯେ, ମୋର ପ୍ରଥମ ପ୍ରୟାସରେ ମୁଁ ଦୁଇଥର ବିଫଳ ହୋଇଥିଲି । ମୁଁ ପିଲାଦିନରୁ ହିଁ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ଭଲ ପାଉଥିଲି । ଏଥିପାଇଁ ମୁଁ ଦ୍ରୁତ ବେଗରେ ଦୌଡିବାଠାରୁ ଆରମ୍ଭ କରି ପର୍ବତ ଉପରକୁ ଚଢିବାକୁ ପ୍ରସ୍ତୁତ ଥିଲି । ଏହା ମୋର ସ୍ବପ୍ନ ଥିଲା । ଯଦିଓ ଏଥିପାଇଁ ମୋତେ ବର୍ଷ ବର୍ଷ ସମୟ ଲାଗିଲା । ୧୯୮୦ରୁ ରୁବିକ୍ କ୍ୟୁବ୍ ତିଆରି କରିବାକୁ ମୁଁ ପ୍ରସ୍ତୁତି କରିଥିଲି । ଏହା ସାଧାରଣ ରୁବିକ୍ ଭଳି ୯୦ ଡିଗ୍ରୀରେ ଘୂର୍ଣ୍ଣନ କରେ ।
ଗତ ବର୍ଷ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଏକ ନୂତନ ନେଚର ଇଣ୍ଟେଲିଜେନ୍ସ ସିଷ୍ଟମ ତିଆରି ହୋଇଥିଲା । ଯାହା ରୁବିକ୍ସ କ୍ୟୁବ୍ ସମାଧାନ କରିବାରେ ମନୁଷ୍ୟର ରେକର୍ଡ ଭାଭାଙ୍ଗିଦେଇଛି । ମନୁଷ୍ୟ ରେକର୍ଡ ୩.୪୭ ସେକେଣ୍ଡ ଥିବାବେଳେ ଏଆଇ ଏହାକୁ ମାତ୍ର ଏକ ସେକେଣ୍ଡ ମଧ୍ୟରେ ସମାଧାନ କରିଛି । ନେଚର ମେସିନ୍ ଜର୍ଣ୍ଣାଲରେ ପ୍ରକାଶିତ ରିସର୍ଚ୍ଚ ଅନୁଯାୟୀ, ଏଆଇ ସିଷ୍ଟମରେ ପଜଲର ୧ ହଜାର କୋଟି କମ୍ବିନେସନ ସାମିଲ୍ କରାଯାଇଛି । ଏହାର ସାହାଯ୍ୟରେ, ଏଆଇ ଏହାକୁ ୩୦ ଥର ଘୂର୍ଣ୍ଣନ ମଧ୍ୟରେ ଏହାର ସମାଧାନ କରିଦେଇଥିଲା ।