ସ୍ତ୍ରୀକୁ ପିଟି ପିଟି ହତ୍ୟା ; ମାରିବା ପରେ ଜଙ୍ଗଲରେ ସ୍ତ୍ରୀର ଶବ ସହ ଶୋଇଥିଲା ସ୍ବାମୀ
26/12/2018 at 3:10 PM

ଉଦଳା ୨୬|୧୨: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ । ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମୟୂରନେଚା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁର ଅଶୋକ ନାଏକଙ୍କ ସ୍ତ୍ରୀ ବୁଦ୍ଧି ନାଏକ ଗତକାଲି ସନ୍ଧ୍ୟାରେ ହାଟକୁ ଯାଇଥିଲେ । ସେ ହାଟରୁ ଫେରିବାରେ ବିଳମ୍ବ ହେବାରୁ ପିଟି ପିଟି ହତ୍ୟା କରିଛି ସ୍ବାମୀ । କେବଳ ଏତିକି ନୁହେଁ ପିଟି ପିଟି ହତ୍ୟା କଲା ପରେ ରାତିସାରା ଜଙ୍ଗଲରେ ସ୍ତ୍ରୀ ସହିତ ଶୋଇଥିବାର ଜଣାପଡିଛି । ଗୋଟେ କିଲୋମିଟର ପର୍ଯ୍ୟନ୍ତ ବୋହି ଘରକୁ ସ୍ତ୍ରୀର ମୃତଦେହ ଆଣିଥିଲା ମଧ୍ୟ ଅଭିଯୁକ୍ତ । ଖବର ପାଇ ଘଟଣାସ୍ଥଳରେ କପ୍ତିପଦା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ତ୍ରୀର ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ଅଶୋକ ନାଏକଙ୍କୁ ପୋଲିସ ଗିରଫ କରିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।