ପ୍ରଚୁର ମଦ ପିଇଲେ ପରେ ବିଷ ଆଉ ତା’ପରେ ରଶି ଲଗାଇ ଜୀବନ ହାରିବାକୁ ପ୍ରୟାସ, ୨୪ଘଣ୍ଟାରେ ୩ଥର ଆତ୍ମହତ୍ୟା ଉଦ୍ୟମ : ତଥାପି ବଞ୍ଚିଗଲେ…

Published By : Prameya-News7 Bureau | November 13, 2021 IST

ଭୋପାଳ ୧୩/୧୧ : ପ୍ରଥମେ ମଦ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ ପରେ ବିଷ ପିଇ ଜୀବନ ହାରିବାକୁ ଚେଷ୍ଟା ଆଉ ତା ପରେ ରଶି ଲଗାଇ ନିଜକୁ ଶେଷ କରିଦେବାକୁ ନିଷ୍ପତ୍ତି । କିନ୍ତୁ ରଖେ ହରି ତ ମାରେ କିଏ । ତିନି ତିନିଥର ଆତ୍ମହତ୍ୟା ଉଦ୍ୟମ ପରେ ମଧ୍ୟ ଜଣେ ଯୁବକ ବଞ୍ଚିଯିବା ଘଟଣା ମଧ୍ୟ ପ୍ରଦେଶର ଭୋପାଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଯୁବକଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମଧ୍ୟ ପ୍ରଦେଶର ବୈତୁଲ ଜିଲ୍ଲା ପାଠାଖେଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆତ୍ମହତ୍ୟା କରିବା ପାଇଁ ଯୁବକଜଣକ ୩ ତିନିଥର ପ୍ରୟାସ କରି ବିଫଳ ହେବାପରେ ଏବେ ହସ୍ପିଟାଲ ବେଡ୍‌ରେ । ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବ ଯୁବକ ହେଉଛନ୍ତି ୩୫ ବର୍ଷୀୟ ରବିନ୍ଦ୍ର କଟାରେ । ତେବେ ସେ ପ୍ରକୃତରେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ୨୪ ଘଣ୍ଟାରେ ତିନି ଥର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛନ୍ତି ଯୁବକ ଜଣକ ।

ରବିନ୍ଦ୍ରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଜୟ ମହୋରା କହିଛନ୍ତି, ଗୁରୁତର ଯୁବକ କୌଣସି କାରଣ ପାଇଁ ଖୁବ ଚାପରେ ରହିଥିଲେ । ସେ ନିଜକୁ ମାରିଦେବା ପାଇଁ ନିଷ୍ପତ୍ତି ନେଇସାରିଥିଲେ । ପ୍ରଥମେ ପ୍ରଚୁର ମଦ୍ୟପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଏଥିରେ ସେ ବିଫଳ ହୋଇଥିଲେ । ନିଶା ଛାଡିଯିବା ପ​‌ରେ ସେ ବିଷାକ୍ତ ଜିନିଷ ଖାଇ ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ବି ବଞ୍ଚିଯିବାରୁ ରଶି ଲଗାଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ରବିନ୍ଦ୍ରଙ୍କ ବିଷ ଓଗାଳିଦେଇଥିବା ବେଳେ ଏବେ ବି ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ହସ୍ପିଟାଲରେ ଚିକିତ୍ସା ପାଇଁ ମଧ୍ୟ ସେ ସହଯୋଗ କରୁନଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଯାହା ଫଳରେ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି ।

ରବିନ୍ଦ୍ରଙ୍କ ସାନ ଭାଇଙ୍କ କହିବା କଥା ଯେ, ପତ୍ନୀଙ୍କ ସହିତ କୌଣସି କାରଣକୁ ନେଇ ପାଟିତୁଣ୍ଡ ହେବା କାରଣରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି । ତେବେ କଣ ଖାଇ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ପରେ ବଞ୍ଚିଯିବାରୁ ଘରର ଏକ ରୁମକୁ ଯାଇ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଘରଲୋକଙ୍କ ନଜର ପଡିଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ରବିନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ଜାରି ରହିଛି । ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ଯାଏଁ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.