ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଧମକଉଥିବା ବ୍ୟକ୍ତି ଗିରଫ…
5/10/2019 at 3:31 PM

ନୂଆଦିଲ୍ଲୀ୫|୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀୱଲଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଦିଲ୍ଲୀ ପୋଲିସର ସାଇବର ସେଲ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ସମ୍ପର୍କରେ ଦିଲ୍ଲୀ ଗଣମାଧ୍ୟମରୁ ସୂଚନା ମିଳିଛି। ପୋଲିସର ସୂଚନା ଅନୁସାରେ ଗିରଫ ବ୍ୟକ୍ତିର ଘର ରାଜସ୍ଥାନ।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବ୍ୟକ୍ତି ଇ-ମେଲ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଧମକାଉଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ। ଏହି ମାମଲାକୁ ଦିଲ୍ଲୀ ପୋଲିସ ସାଇବର ସେଲକୁ ହସ୍ତାନ୍ତର କରାଯାଇଥିଲା।
ଅଭିଯୁକ୍ତ ପଠାଇଥିବା ଇ-ମେଲ ଆଧାରରେ ସାଇବର ସେଲ ତଦନ୍ତ ଆରମ୍ଭ କରିଥିଲେ। କିଛି ମାସ ପରେ ରାଜସ୍ଥାନରୁ ଅଭିଯୁକ୍ତ ବ୍ୟକ୍ତିକୁ ଦିଲ୍ଲୀ ପୋଲିସର ସାଇବର ସେଲ ଗରିଫ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସେ କାହିଁକି ଧମକାଉଥିଲେ ବୋଲି ଅଭିଯୁକ୍ତକୁ ପୋଲିସ ପଚରାଉଚାର କରିଥିଲା। ହେଲେ ଏ ସମ୍ପର୍କରେ ଅଭିଯୁକ୍ତ ମୁହଁ ଖୋଲି ନାହିଁ।
ସୂଚନାଯୋଗ୍ୟ ଯେ, କେଜରୀୱାଲଙ୍କୁ ଏହା ପ୍ରଥମ ଧମକ ନୁହେଁ । ଏହାପୂର୍ବରୁ ମଧ୍ୟ କେଜେରୀୱାଲଙ୍କ ସମେତ ତାଙ୍କ ପରିବାରର ସଦସ୍ୟଙ୍କୁ ମଧ୍ୟ ଧମକ ମିଳିଥିଲା। ଏହି ଧମକ ଦେବା ଘଟଣାରେ ଏକ ଯୁବକକୁ ପୋଲିସ ମଧ୍ୟ ଗିରଫ କରିଥିଲା।