ଫେସ୍ବୁକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଥିବା ଯୁବକ ଗିରଫ
28/01/2021 at 5:23 PM

ନୋଏଡା ୨୮/୦୧: ସୋସିଆଲ ମିଡିଆରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା। ଉତ୍ତରପ୍ରଦେଶର ନୋଏଡା ସ୍ଥିତି ଜେବର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀଙ୍କ ଉପରେ ଅଶୋଭନୀୟ ଏବଂ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଯୁବକକୁ ଗିରଫ କରିଛି ପୋଲିସ। ପୋଲିସ ଅଭିଯୁକ୍ତର ମୋବାଇଲ ମଧ୍ୟ ଜବତ କରିଛି।
ଫେସବୁକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୁକ୍ତ ସୁନୁ କୁମାର ବୋଲି ଜଣାପଡ଼ିଛି। ୨୫ ବର୍ଷୀୟ ଯୁବକର ଘର ଜେବରର ଦସ୍ତମପୁର।ଜେବର ଥାନାର ଏସଏଚଓ ଉମେଶ ବାହାଦୁର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉପରେ କୁମାର ଫେସବୁକ୍ ପୋଷ୍ଟରେ ଆପତ୍ତିଜନକ ଟିପ୍ପଣୀ କରିଥିବା ନେଇ ବିଜପେି ଯୁବ ମୋର୍ଚ୍ଚା ନେତା ମୋନୁ ଗର୍ଗ ଥାନାରେ ଅଭିଯୋଗ କରିଥିଲେ। ସୋମାବର ଦିନ ଏହି ପୋଷ୍ଟ କରାଯାଇଥିଲା। ପରେ ସ୍ଥାନୀୟ ଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୁକ୍ତ ଯୁବକ ବିରୋଧରେ ଆଇପିସି ୧୫୩-ଏ ଅନୁସାରେ ଦଫା ଲାଗିଥିବା ପୋଲିସ କହିଛି। ଅଭିଯୁକ୍ତର ଆଇପି ଆଡ୍ରେସ୍ ଟ୍ରାକ୍ କରି ପୋଲିସ ଧରିଥିବା ଉମେଶ କହିଛନ୍ତି। ବୁଧବାର ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କୋର୍ଟ ଚାଲାଣ କରାଯାଇଥିଲା। ଏବେ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ରହିଛି ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲା। ଫେସବୁକ୍ ମାଧ୍ୟମରେ ଏହି ପୋଷ୍ଟ କରାଯାଇଥିବା ବେଳେ ଏହାକୁ ନେଇ ଥାନାରେ ପହଞ୍ଚିଥିଲେ ବିଜେପି ନେତା। ମାମଲା ରୁଜୁ କରି ଅଭିଯୁକ୍ତ ୫୦ ବର୍ଷୀୟ ୟୋଗେଶ ଚୌଧୁରୀକୁ ଗିରଫ କରିଛି ପୋଲିସ।