ମାତ୍ର ୧୦ ହଜାର ଟଙ୍କା ଧାର ପାଇଁ ଗର୍ଭସ୍ଥ ଶିଶୁ ଦେଖିପାରିଲାନି ଆଲୋକ, ମା’ ଗୁରୁତର: ଅଭିଯୁକ୍ତକୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | October 20, 2020 IST

ମୁମ୍ବାଇ ୨୦/୧୦: ଧାର ଟଙ୍କା ସୁଝି ପାରିଲାନି ମା’ । କିନ୍ତୁ ଦୁନିଆକୁ ଆସିବା ପୂର୍ବରୁ ମା’ ପେଟରେ ଆଖିବୁଜିଲା ପିଲା। କ୍ରିମିନାଲ୍‌ ପାଲଟିଗଲା କେବଲ୍‌ ଅପରେଟର। ୨୧ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ମାଡ଼ ମାରିବାକୁ ବି ପଛାଇଲାନି ୪୫ ବର୍ଷୀୟ କେବଲ୍‌ ଅପରେଟର । କେଇଟା ଟଙ୍କା ପାଇଁ ପଶୁ ପାଲଟିଗଲା ଆଉ ଜଣେ ଗର୍ଭବତୀ ମହିଳାଙ୍କ ପେଟକୁ ମାରିଦେଲା ଗୋଇଠା । ଦୁନିଆ ଦେଖିବା ପୂର୍ବରୁ ମା’ ପେଟରେ  ଜୀବନ ହରାଇଲା ପିଲା। ଏମିତି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୁମ୍ବାଇର ଭରସୋଭା ଥାନା ଅଞ୍ଚଳରେ।

ଭରସୋଭା ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଓ ପୀଡ଼ିତାଙ୍କ ସ୍ବାମୀ ପରସ୍ପରକୁ ଜାଣିଥିଲେ। ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ମଧ୍ୟ ଆସୁଥିଲା। ଟଙ୍କା ଆବଶ୍ୟକ ଥିବାରୁ ମହିଳା ତା(ଅଭିଯୁକ୍ତ) ପାଖରୁ ୧୦ ହଜାର ଟଙ୍କା ଧାର କରିଥିଲେ । କିନ୍ତୁ ସମୟ ପୂର୍ବରୁ ଟଙ୍କା ପରିଶୋଧ କରିପାରି ନଥିଲେ ମହିଳା। ଅକ୍ଟୋବର ୧୫ ତାରିଖରେ ଅଭିଯୁକ୍ତ ତାଙ୍କୁ ଡାକିଥିଲା ସାକ୍ଷାତ କରିବାକୁ। ସାକ୍ଷାତ ପାଇଁ  ଅନ୍ଧେରିର ଅସ୍‌ମା ହସ୍ପିଟାଲ ପାଖକୁ ମହିଳାଙ୍କୁ ଡାକିଥିଲା ଅଭିଯୁକ୍ତ।

ନିର୍ଦ୍ଧାରିତ ଦିନ ମହିଳା ଜଣଙ୍କ ତାଙ୍କର ୨ ବର୍ଷର ଶିଶୁକୁ ନେଇ ଯଥା ସ୍ଥାନରେ ପହଞ୍ଚିଥିଲେ। ପଶ୍ଚିମ ଅନ୍ଧେରିରେ ଥିବା ମାଧା ବିଲ୍ହିଂକୁ ମହିଳାଙ୍କୁ  ନେଇଯାଇଥିଲା ଅଭିଯୁକ୍ତ। ସେଠରେ ପୂର୍ବରୁ ଥିବା ଜଣେ ମହିଳାଙ୍କୁ ଦୁଇ ବର୍ଷର ଶିଶୁକୁ ଦେଇ ମହିଳାକୁ ଅନ୍ୟ ଏକ କୋଠରୀକୁ ନେଇଥିଲା ଅଭିଯୁକ୍ତ। ସେଠାକୁ ନେଇ ମହିଳାଙ୍କୁ ଟଙ୍କା ମାଗିଥିଲା। ଟଙ୍କା ନଦେଲେ ଅଭିଯୁକ୍ତ ଦୁଷ୍କର୍ମ ଧମକ ​‌ଦେଇଥିବା ମଧ୍ୟ ପୋଲିସ୍‌ କହିଛି।

ଅଭିଯୁକ୍ତ ମହିଳାଙ୍କୁ ଦୁର୍ବ୍ୟହାର କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଏଥିରୁ ବର୍ତ୍ତିବା ପାଇଁ ମହିଳା ଚେଷ୍ଟା କରିବାରୁ ତାଙ୍କ ପେଟକୁ ଲାତ ମାରିଦେଇଥିଲା ଅଭିଯୁକ୍ତ। ପରେ ମହିଳା କଷ୍ଟ ଅନୁଭବ କରିଥିଲେ। ପରେ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ତାଙ୍କ ପେଟରେ ଥିବା ପିଲାର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ବୋଲି ପୋଲିସ କହିଛି।

ଏ ସମସ୍ତ ଘଟଣା ସମ୍ପର୍କରେ ପୀଡ଼ିତା ତାଙ୍କ ସ୍ବାମୀଙ୍କୁ କହିଥିଲେ। ପରେ ଦୁହେଁ ଭରସୋଭା ଥାନରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଧାରା ୩୭୬, ୩୧୩, ୩୨୩ ଓ ୫୦୬ ଅଧିନରେ ମାମଲା ରୁଜୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.