ଅଚଳ ନୋଟ୍ କିଣି କରୁଥିଲେ ପୂଜା, ଗିରଫ କଲା ପୋଲିସ : ତାନ୍ତ୍ରିକ କହିଥିଲା ସୁଧୁରିବ ଆର୍ଥିକ ଅବସ୍ଥା
27/11/2020 at 1:30 PM

ନାଗୈ।ର ୨୭।୧୧: ରାଜସ୍ଥାନର ନାଗୈ।ର ପୋଲିସ ବିମୁଦ୍ରୀକରଣ ବେଳେ ଅଚଳ ହୋଇଥିବା ନୋଟ୍ ସହ ଜଣକୁ ଗିରଫ କରିଛି । ପଚରାଉଚରା ବେଳେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି ଯେ ନିଷିଦ୍ଧ ନୋଟଗୁଡ଼ିକୁ ବିକ୍ରୟ କରିବା ପୂର୍ବରୁ ଯଦି ସେ ପୂଜା କରନ୍ତି ତେବେ ତାଙ୍କର ଆର୍ଥିକ ଅବସ୍ଥା ସୁଧୁରିବ ବୋଲି ଜଣେ ତାନ୍ତ୍ରିକ କହିଥିଲେ । ଗିରଫ ବ୍ୟକ୍ତି ହେଉଛନ୍ତି ୩୫ ବର୍ଷ ବୟସ୍କ ହନୁମାନ ସିଂ । ତାଙ୍କ ନିକଟରୁ ୫.୨୦ ଲକ୍ଷ ଟଙ୍କା ବିମୁଦ୍ରୀକରଣ ନୋଟ୍ ଜବତ କରାଯାଇଛି ।
ପୋଲିସର ସୂଚନା ଅନୁସାରେ ହୁଆନୁମାଗଡ ଜିଲ୍ଲାର ମୂଳ ବାସିନ୍ଦା ହନୁମାନ ସିଂଙ୍କୁ ୫.୨୦ ଲକ୍ଷ ଟଙ୍କାର ଅଚଳ ନୋଟ୍ ସହିତ ଗିରଫ କରାଯାଇଛି । ଜବତ ହୋଇଥିବା ନୋଟ୍ ଗୁଡ଼ିକ ୫୦୦ ଟଙ୍କିଆ ରହିଛି । ପଚରାଉଚରା ବେଳେ ହନୁମାନ ସିଂ ସ୍ବୀକାର କରିଛି ଯେ, ମଙ୍ଗଳବାର ସକାଳେ ସେ ନୈନ ସିଂ ରାଜପୁରୋହିତ ନାମକ ଜଣେ ବ୍ୟକ୍ତିଠାରୁ ୧ ଲକ୍ଷ ଟଙ୍କା ଦେଇ ଅଚଳ ନୋଟ୍ କିଣିଥିଲେ ।
ଅଭିଯୁକ୍ତ ପୋଲିସକୁ କହିଥିଲା ଯେ ରାଜପୁରୋହିତ ୨୦୧୬ରେ ହୋଇଥିବା ବିମୁଦ୍ରୀକରଣ ପରଠାରୁ ଆର୍ଥିକ ସଙ୍କଟରେ ପଡିଥିଲେ । ଅଚଳ ନୋଟ୍ କିଣିବା ପରେ ହନୁମାନ ପଞ୍ଜାବରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ୧.୫୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରିଥିଲେ ।
ସମ୍ପର୍କୀୟଙ୍କୁ ବିକ୍ରି କରିବା ପୂର୍ବରୁ ତାଙ୍କୁ ଜଣେ ତାନ୍ତ୍ରିକ ପରାମର୍ଶ ଦେଇଥିଲେ ଯେ ଅଚଳ ନୋଟଗୁଡ଼ିକୁ ବିକ୍ରି କରିବା ପୂର୍ବରୁ ପୂଜା କରିବା ଉଚିତ୍ । ଯାହାଫଳରେ ତାଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଏଥିପାଇଁ ହନୁମାନ ନାଗୈ।ରର ଏକ ପବିତ୍ର ସ୍ଥାନକୁ ଆସିଥିଲେ । ସେଠାରୁ ପୋଲିସ ତାକୁ ଗିରଫ କରିଛି ।
ଅଚଳ ନୋଟ୍ ଜବତ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଆୟକର ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡିକୁ ସୂଚନା ଦିଆଯାଇଛି । ସେମାନେ ଯାଞ୍ଚ ଆରମ୍ଭ କରିଛନ୍ତି ବୋଲି ପୋଲିସ କହିଛି ।