ଭଦ୍ରକ ଗେଷ୍ଟ ହାଉସରୁ ଯୁବକ ଯୁବତୀଙ୍କ ମୃତଦେହ ମିଳିବା ଘଟଣା : ଯୁବକର ଅଡିଓ କ୍ଲିପ୍ ଜବତ, କିନ୍ତୁ ଏବେ ବି ହତ୍ୟା ସନ୍ଦେହ

Published By : Prameya-News7 Bureau | May 07, 2019 IST

ଭଦ୍ରକ ୭।୫ : ଭଦ୍ରକର ଏକ ଘରୋଇ ଗେଷ୍ଟ ହାଉସରୁ ଗତ କାଲିଯୁବକ ଯୁବତୀଙ୍କର ମୃତ ଦେହ ଉଦ୍ଧାର ପରେ ଆଜି ସେମାନଙ୍କ ଏକ ଅଡିଓ ପୋଲିସ ହାତରେ ଲାଗିଛି । ସେହିଭଳି ଯୁବକଙ୍କ ଫେସବୁକ ପୋଷ୍ଟଚରୁ ମଧ୍ୟ ପୋଲିସ କିଛି ଲେଖା ଉଦ୍ଧାର କରିଛି ।   ଗତକାଲି ଉଭୟଙ୍କର ମୃତ ଦେହ ଜବତ କରି ପୁଲିସ ଭଦ୍ରକ ମେଡିକାଲକୁ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଦେଇଥିଲା। ଗେଷ୍ଟ ହାଉସ୍ ଭିତରୁ ଏକ ରକ୍ତଭିଜା ଛୁରି ମଧ୍ୟ ପୁଲିସ ଜବତ କରିଥିଲା। ଉଭୟଙ୍କ ଭିତରେ ପ୍ରେମ ସଂପର୍କରୁ ଏଇ ଘଟଣା ଘଟିଥିବା ପୋଲିସ ଜାଣିବାକି ପାଇଛି। ଯୁବକଙ୍କ ଘର ପୁରୁଣାବଜାର ମୁଲାସାହିର ହୋଇଥିବା ବେଳେ ଯୁବତୀ ଜଣଙ୍କ ଘର ଭଦ୍ରକର ପୋଷ୍ଟ ଅଫିସ ଛକ ନିକଟରେ ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଉଭୟ ଯୁବକ ଯୁବତୀ ଆଜି ସକାଳ ସାଢେ ଛଅଟା ବେଳେ ସ୍ବାମୀ ସ୍ତ୍ରୀର ପରିଚୟ ଦେଇ ଭଦ୍ରକର କୁଆଁଶସ୍ଥିତ ସାଳନ୍ଦୀ ଗେଷ୍ଟ ହାଉସରେ ରହିଥିଲେ। କିଛି ସମୟ ପରେ ରହୁଥିବା ରୁମ୍‌ରୁ ଚିତ୍କାର ଶୁଭିଥିଲା। କର୍ମଚାରୀମାନେ ରୁମ୍‌ କବାଟ ବାଡେଇଲେ ବି କେହି ନ ଶୁଣିବାରୁ ମାଲିକ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି ଯୁବକ ଯୁବତୀ ପଡିଥିବାର ଦେଖିଥିଲେ। ଖବର ପାଇ ଭଦ୍ରକ ଟାଉନ ଆଇଆଇସି ସରୋଜିନୀ ସିଂହ ପହଞ୍ଚି ଗେଷ୍ଟ ହାଉସ ରୁମ୍ ଭିତରୁ ଯୁବକ ଯୁବତୀଙ୍କର ମୃତ ଦେହ ଉଦ୍ଧାର କରିଥିଲେ। ରୁମରୁ ଏକ ରକ୍ତଭିଜା ଧାରୁଆ ଛୁରି ଓ ବିଷ ଡବା ମିଳିଥିଲା। ପୁଲିସ ଉଭୟଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମେଡିକାଲକୁ ଆଣି ତଦନ୍ତ ଆରମ୍ଭ କରିଥିଲେ। ଯୁବକ ଜଣଙ୍କ ପୁରୁଣାବଜାର ଅଞ୍ଚଳର ଅବଦୁଲ ରହିବ (୨୨)। ଯୁବତୀଙ୍କ ଘର ପୋଷ୍ଟ ଅଫିସ ଛକ ନିକଟରେ ବୋଲି ଜଣାପଡିଛି। ଉଭୟ ଯୁବକ ଯୁବତୀ ଦୁଇ ଅଲଗା ସଂପ୍ରଦାୟର ହୋଇଥିବାରୁ ସେମାନଙ୍କର ପ୍ରେମ ସଂପର୍କ ସଫଳ ହୋଇ ନ ପାରିବା କାରଣରୁ ଉଭୟ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

 ଅପରପକ୍ଷରେ ଏମାନଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ମଧ୍ୟ ପୁଲିସ ସନ୍ଦେହ ଘେରକୁ ଆଣିଛି। ପୁଲିସ ଉଭୟ ଦିଗରେ ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ପ୍ରମାଣ ପାଇ ନ ଥିବା କହିଛି। ଉଭୟ ପୁଅ ଓ ଝିଅ ପରିବାରଙ୍କର ମତାମତ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଗେଷ୍ଟ ହାଉସର ମାଲିକ ଓ ମ୍ୟାନେଜରଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସନ୍ଧ୍ୟାରେ ବାଲେଶ୍ବରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ଆରମ୍ଭ କରିଛି।

ଆଜି ଅଡିଓ ଜବତ ହେବାପରେ ଏହା ହତ୍ୟା ଓ ଆତ୍ମହତ୍ୟା ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି । ସମ୍ଭବତଃ ପ୍ରଥମେ ଯୁବତୀଙ୍କୁ ହତ୍ୟା କରିବାପରେ ଯୁବକ ଆତ୍ମହତ୍ୟା କରିଥାଇପାରେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.